ଅଶୋକ ପଣ୍ଡାଙ୍କ ତୀକ୍ଷ୍ଣ ବୟାନ: କହିଲେ “ଆମେ ଡାଉନ୍ ହୋଇଛୁ, କିନ୍ତୁ ଆଉଟ୍ ହୋଇନାହୁଁ
ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ତୀକ୍ଷ୍ଣ ବୟାନ ଦେଇ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଗତକାଲି ବଦ୍ରି ପାତ୍ରଙ୍କ ପରେ ଆଜି ଅଶୋକ ପଣ୍ଡା ତାଙ୍କ ତେର୍ଚ୍ଛା ବାଣରେ ଦଳୀୟ ଅନୁଶାସନ ଓ ନବୀନ ପଟ୍ଟନାୟକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଅଶୋକ ପଣ୍ଡା କହିଛନ୍ତି, “ଆମେ ଡାଉନ୍ ହୋଇଛୁ, କିନ୍ତୁ ଆଉଟ୍ ହୋଇନାହୁଁ। ୪୧ ପ୍ରତିଶତ ଜନାଦେଶ ଆମ ସହିତ ଅଛି, ତେଣୁ ଆଉଟ୍ ହେବାର ପ୍ରଶ୍ନ ଉଠୁନାହିଁ।” ସେ ଆହୁରି କହିଛନ୍ତି, “ନବୀନ ବାବୁ ଆମକୁ ଶିଖାଇଛନ୍ତି ବାଉଣ୍ଡରୀ ବାହାରକୁ ନଯିବାକୁ। ସେ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି।” ରାମାୟଣର ପ୍ରସଙ୍ଗ ଉଠାଇ ପଣ୍ଡା କହିଛନ୍ତି, “ଶ୍ରୀରାମଙ୍କ ୧୪ ବର୍ଷ ବନବାସ ସମୟରେ ଲକ୍ଷ୍ମଣ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ। ସେହିପରି ସବୁ କ୍ଷେତ୍ରରେ ଶୃଙ୍ଖଳା ଓ ଅନୁଶାସନର ଆବଶ୍ୟକତା ରହିଛି।” ଦଳୀୟ ଐକ୍ୟ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, “ଦଳ ସମସ୍ତଙ୍କୁ ନେଇ ଚାଲିବ, କେବଳ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ନୁହେଁ।”
ଅଶୋକ ପଣ୍ଡାଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ସେ ଅନ୍ୟ ନେତାଙ୍କ ବୟାନ ଉପରେ ସିଧାସଳଖ ମନ୍ତବ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରି କହିଛନ୍ତି, “ଯିଏ ଯାହା ଉଦ୍ଦେଶ୍ୟରେ କହିଛନ୍ତି, ସେ ନିଜେ ତା’ର ସ୍ପଷ୍ଟୀକରଣ ଦେଇପାରିବେ।” ଏହି ବୟାନ ବିଜେଡି ଭିତରେ ଅନୁଶାସନ ଓ ଏକତା ପାଇଁ ଏକ ସଙ୍କେତ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।
