ନୂଆ ସରକାର ଆସିଲା ପରେ ବଢିଛି ଚାଷୀଙ୍କ ଆୟ
ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଚାଷୀଙ୍କ ଆୟରେ ବୃଦ୍ଧି ହୋଇଥିବା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ବିଜେଡି ସରକାରକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, “ବିଜେଡି ସରକାର ବେଳେ ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ତଳରୁ ଦ୍ୱିତୀୟ ସ୍ଥାନରେ ଥିଲା। 14 ମାସ ପୂର୍ବରୁ ରିପୋର୍ଟ ସ୍ପଷ୍ଟ କରିଥିଲା ଯେ ଚାଷୀମାନେ ଲାଭ କରୁନଥିଲେ, ବରଂ ବେଶି କ୍ଷତିରେ ପଡ଼ୁଥିଲେ।”
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମ ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଇନପୁଟ ସବସିଡି ଦେବାକୁ ନିଷ୍ପତ୍ତି ନିଆଗଲା। ତାହାର ଫଳରେ ଉଭୟ ଖରିପ ଏବଂ ରବି ଋତୁରେ 19 ଲକ୍ଷ 72 ହଜାର ଚାଷୀଙ୍କୁ ସହାୟତା ମିଳିଛି।”
ସେହିପରି, ରେକର୍ଡ ପରିମାଣରେ ଧାନ ସଂଗ୍ରହ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। “92 ଲକ୍ଷ 73 ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି। ଏହା ପୂର୍ବରୁ କେବେ ମଧ୍ୟ ହୋଇନଥିବା ରେକର୍ଡ।” ସେ କହିଛନ୍ତି, “ଚାଷୀଙ୍କୁ 7537 କୋଟି ଟଙ୍କାର ଇନପୁଟ ସବସିଡି ଦିଆଯାଇଛି।”
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ ଭଳି ବିଭିନ୍ନ ଯୋଜନାକୁ ମିଶାଇ ଚାଷୀଙ୍କୁ ପ୍ରତିବର୍ଷ 58 ହଜାର ଟଙ୍କା ସହାୟତା ଦିଆଯାଉଛି।”
ସେ ବିଜେଡି ସରକାରର କାର୍ଯ୍ୟକଳାପକୁ କଟାକ୍ଷ କରି କହିଛନ୍ତି, “ଗତ ସରକାର କୃଷକମାନଙ୍କୁ ସମ୍ମାନ ଓ ନ୍ୟାୟ ଦେବାରେ ବିଫଳ ହୋଇଥିଲା। ଓଡ଼ିଶାର ଚାଷୀମାନେ ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ପଛକୁ ରହୁଥିଲେ। କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ପରିବର୍ତ୍ତନ ହୋଇଛି।”
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ଏହାର ପ୍ରତିକ୍ରିୟା ଆସିବାକୁ ବାକି ରହିଛି।
