ଓଡିଶାରେ ବନ୍ୟାସ୍ଥିତି ନିୟନ୍ତ୍ରଣ: ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ହ୍ରାସ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ଜଳସ୍ତର ବିପଦ ସଂକେତରୁ ତଳକୁ ଖସିଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ତେବେ ବୈତରଣୀରୁ କାଣୀ ନଈ ଘାଇରେ ଭାଙ୍ଗିବା ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ ପ୍ରଭାବିତ ହୋଇଛି। ଜଳ କମିବା ପରେ ଏହି ଘାଇର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।

ସୂଚନା ଅନୁଯାୟୀ, ଜିଲ୍ଲା ପ୍ରଶାସନ ସହ ସମସ୍ତ ଯୋଗାଯୋଗରେ ରହି ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଚାଲିଛି। ରାତ୍ରିକାଳୀନ ପେଟ୍ରୋଲିଙ୍ଗ୍‌ ଜାରି ରହିଛି ଏବଂ ତଳିଆ ଅଞ୍ଚଳରେ ପଶିଥିବା ପାଣି ଛାଡିବାକୁ ସମୟ ଲାଗିବ। ବୈତରଣୀ ନଦୀର ଜଳପତନ କମିଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ହୀରାକୁଦ୍‌ ଜଳଭଣ୍ଡାରରେ ୪ଟି ଗେଟ୍‌ ଖୋଲା ରହିଥିବା ବେଳେ ୯୮ ହଜାର କ୍ୟୁଷେକ୍‌ ଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ୩ ଲକ୍ଷ ୩୧ ହଜାର କ୍ୟୁଷେକ୍‌ ଜଳ ପ୍ରବାହିତ ହେଉଛି।

ରେଙ୍ଗାଳି ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳ ନିଷ୍କାସନ ପାଇଁ ଦୁଇଟି ଗେଟ୍‌ ଖୋଲା ରହିଛି ଏବଂ ଗୋଟିଏ ଗେଟ୍‌ ବନ୍ଦ କରିବାକୁ ବିଚାର କରାଯାଉଛି। ଆସନ୍ତାକାଲି ବର୍ଷା ହେଲେ ବନ୍ୟା ସ୍ଥିତିର ଅନୁଧ୍ୟାନ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ତେବେ ଆଜିର ବର୍ଷା ସତ୍ୱେ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *