ରାହୁଲ ଦେଖିଲେଣି ଓଡ଼ିଶା ଦଖଲ ସ୍ୱପ୍ନ, ଆଉ ଚଳିବନି ସୁପାରିସ
ଭୁବନେଶ୍ୱର: ଆକ୍ସନ ମୋଡରେ କଂଗ୍ରେସ ଯୁବରାଜ। ଓଡ଼ିଶାକୁ ନେଇ ସିରିୟସ ରାହୁଲ। ଓଡ଼ିଶାରେ କଂଗ୍ରେସ ପାଇଁ ବଡ଼ ସମ୍ଭାବନା ଅନୁଭବ କରିବା ପରେ ଏବେ ଓଡ଼ିଶା ଉପରେ ଫୋକସ୍। ସୃଜନ ବୈଠକରେ ସଙ୍ଗଠନକୁ ମଜଭୁତ କରିବାକୁ ରାଜ୍ୟ ନେତାଙ୍କୁ ଦେଇଛନ୍ତି ଆହ୍ୱାନ। ସୋମବାର ଦିଲ୍ଲୀ ଇନ୍ଦିରା ଭବନରେ ବସିଥିବା ବୈଠକରେ ରାହୁଲ ଗାନ୍ଧୀ ରାଜ୍ୟ ନେତାଙ୍କୁ କହିଛନ୍ତି, ଦଳୀୟ ମୁଖ୍ୟାଳୟରେ ବସି ଜିଲ୍ଲା ସଭାପତି ବାଛିବା ବନ୍ଦ କର। ଏଣିକି ସଙ୍ଗଠନରେ ସୁପାରିସ ଆଉ ଚାଲିବ ନାହିଁ। କହିବାକୁ ଗଲେ, ରାହୁଲ ଏକ ପ୍ରକାର ତାଗିଦ୍ କରିଛନ୍ତି ନେତାଙ୍କୁ। ଓଡ଼ିଶା କଂଗ୍ରେସରେ ଯାହା ମନ୍ମାନି ଚାଲିଥିଲା, ସେସବୁ ଏବେ ବନ୍ଦ ହେବ। ଏଣିକି ସଙ୍ଗଠନ ମଜବୁତ କରିବ ଦିଲ୍ଲୀ।
ସେପ୍ଟେମ୍ବର ୨ରେ AICCର ୩୫ ଜଣିଆ ପର୍ଯ୍ୟବେକ୍ଷକ ଦଳ ଓଡ଼ିଶା ଆସି ବିଭିନ୍ନ ଜିଲ୍ଲା ବୁଲିବେ। ୧୪ ସୁଦ୍ଧା AICCକୁ ୬ଟି ସମ୍ଭାବ୍ୟ ନାମ ଦେବେ। ହାଇକମାଣ୍ଡ ଜିଲ୍ଲା ସଭାପତି ବାଛିବେ। ରାଜ୍ୟ ସଭାପତି ଭଳି ଜିଲ୍ଲା ସଭାପତିଙ୍କୁ ସଶକ୍ତ କରାଯିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସେମାନଙ୍କ ଭାଗିଦାରୀ ରହିବ। ଅର୍ଥାତ୍ ଆଉ ସୁପାରିସ ଚଳିବନି, ନିଷ୍ପତ୍ତି ଡାଇରେକ୍ଟ ହାଇକମାଣ୍ଡ ନେବେ।
ଦିଲ୍ଲୀରୁ ଆସୁଥିବା ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସଭାପତି ବାଛିବା ପାଇଁ ନିୟମାବଳୀ ଜାରି ହୋଇଛି। ଗସ୍ତ ବେଳେ କୌଣସି ସ୍ଥାନୀୟ ନେତାଙ୍କ ପ୍ରଭାବରେ ଆସିବେନି। ବିନା ଚାପରେ ଜିଲ୍ଲା ଗସ୍ତ କରିବେ। ସବୁ ବର୍ଗର ଲୋକଙ୍କ ସହ କଥା ହୋଇ ସୁସଙ୍ଗଠକ ଓ ଦଳ ପ୍ରତି ଆନୁଗତ୍ୟ ନେତାଙ୍କ ନାଁ ସୁପାରିସ କରିବେ। ପ୍ରତି ଜିଲ୍ଲାରୁ ଅନୁସୂଚିତ ଜାତି, ଜନଜାତି, ଦଳିତ, ସାଧାରଣ ବର୍ଗ ଓ ମହିଳା ଏଭଳି ୬ଟି ବର୍ଗରୁ ନାମ ଚୟନ କରି AICCକୁ ପଠାଇବେ।
ଦଳକୁ ସଂଗଠିତ କରିବା ସହ, ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାହୁଲ। ଭକ୍ତଙ୍କ ନେତୃତ୍ୱରେ ରାଜ୍ୟରେ ଏବେ ହାତ ବଳ ଗୋଟାଉଥିବା ବେଳେ ରାହୁଲଙ୍କ ଏହି ମନ୍ତ୍ର ଦଳୀୟ ନେତାଙ୍କ ଭିତରେ ଜୋଶ ଭରିଛି।
କିନ୍ତୁ ପ୍ରଶ୍ନ ଉଠିଛି ଯୁବ ନେତୃତ୍ୱକୁ ସୁଯୋଗ ଦେବ କି କଂଗ୍ରେସ? ଯେଉଁମାନଙ୍କ ଡିଏନ୍ଏରେ କଂଗ୍ରେସ ରହିଛି, ସେମାନଙ୍କୁ ଦଳ ଆଗକୁ ଆଣିବ କି? ଅଣଦେଖା ହୋଇଥିବାମାନେ ସୁଯୋଗ ପାଇବେ କି? ପୁରୁଣାଙ୍କୁ ହଟାଇ ନୂଆ ଚେହେରାକୁ ପ୍ରାଧାନ୍ୟ ଦେବେ କି?
