ଭାରତୀୟ ନୌସେନାରେ ଦୁଇ ନୂଆ ଯୁଦ୍ଧଜାହାଜ!

ବିଶାଖାପଟଣା: ଭାରତୀୟ ନୌସେନା ଆଜି ଆହୁରି ଶକ୍ତିଶାଳୀ ହୋଇଛି। ବିଶାଖାପଟଣାରେ ଏକ ବିଶେଷ ସମାରୋହରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଆଇଏନଏସ ଉଦୟଗିରି ଓ ଆଇଏନଏସ ହିମଗିରି ଦୁଇଟି ଅତ୍ୟାଧୁନିକ ଯୁଦ୍ଧପୋତ ନୌସେନାରେ ସାମିଲ ହୋଇଛି।

ଏହା ପ୍ରଥମ ଥର ଯେ ଦୁଇଟି ଭିନ୍ନ ଶିପ୍‌ୟାର୍ଡରେ ନିର୍ମିତ ବଡ଼ ଯୁଦ୍ଧଜାହାଜ ଏକେ ସମୟରେ ନୌସେନାରେ ଯୋଗ କରିଛି। ଏହା ଭାରତର ସାମୁଦ୍ରିକ ଶକ୍ତିକୁ ଆହୁରି ମଜବୁତ କରିବା ସହିତ ‘ମେକ୍ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ଅଭିଯାନର ସଫଳତାକୁ ପ୍ରମାଣ କରିଛି।

ଆଇଏନଏସ ଉଦୟଗିରି ମୁମ୍ବାଇର ମଜଗାଓଁ ଡକ୍‌ ଶିପ୍‌ୟାର୍ଡରେ ୩୭ ମାସରେ ନିର୍ମିତ ହୋଇଥିବାବେଳେ, ଆଇଏନଏସ ହିମଗିରି କୋଲକାତାର ଗାର୍ଡନ ରିଚ୍‌ ଶିପ୍‌ୟାର୍ଡରେ ତିଆରି ହୋଇଛି। ଏହି ଦୁଇଟି ‘ନୀଳଗିରି’ ଶ୍ରେଣୀର ଅଂଶ ଏବଂ ପ୍ରୋଜେକ୍ଟ ୧୭ଏ ଅଧୀନରେ ତିଆରି ହୋଇଛି। ୭୫% ସ୍ୱଦେଶୀ ଉପକରଣର ବ୍ୟବହାର ଭାରତର ନୌ-ନିର୍ମାଣ କ୍ଷମତାକୁ ପ୍ରକାଶ କରିଛି।

ଯୁଦ୍ଧପୋତଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତିରେ ସଜ୍ଜିତ। ଏଥିରେ ଇସ୍ରାଏଲ ପ୍ରଯୁକ୍ତି ଆଧାରିତ ଏମଏଫ୍- ଷ୍ଟାର ରାଡାର ସିଷ୍ଟମ, ବ୍ରହ୍ମୋସ ସୁପରସୋନିକ କ୍ରୁଜ୍‌ ମିସାଇଲ, ବାରାକ-୮ ଏୟାର ଡିଫେନ୍ସ ସିଷ୍ଟମ, ଆରବିୟୁ-୬୦୦୦ ରକେଟ୍‌ ଲଞ୍ଚର ରହିଛି। ଏଥି ସହିତ, ଏସଏଚ-୬୦, ଏଏଲଏଚ ଧ୍ରୁବ ଓ ସି କିଙ୍ଗ ହେଲିକପ୍ଟର ପାଇଁ ଫ୍ଲାଇଟ୍‌ ଡେକ୍‌ ଓ ହ୍ୟାଙ୍ଗାର ସୁବିଧା ମଧ୍ୟ ରହିଛି।

ପ୍ରାୟ ୬,୭୦୦ ଟନ ଓଜନ ଓ ୧୪୯ ମିଟର ଲମ୍ବର ଏହି ଯୁଦ୍ଧଜାହାଜଗୁଡ଼ିକ ୩୦ ନଟିକାଲ ମାଇଲ ବେଗରେ ଚାଲିପାରିବା ସହିତ ଏକଥର ଇନ୍ଧନରେ ୧୦,୦୦୦ କି.ମି. ରୁ ଅଧିକ ଦୂରତା କଭର କରିପାରିବ।

ଇଣ୍ଡୋ-ପାସିଫିକ ଅଞ୍ଚଳରେ ଭାରତର ସାମରିକ ଶକ୍ତି ବୃଦ୍ଧି କରିବା ସହିତ, ଏହି ଯୁଦ୍ଧପୋତ ଆରବ ସାଗର, ଭାରତ ମହାସାଗର ଓ ବଙ୍ଗୋପସାଗରରେ ଚୀନ ଓ ପାକିସ୍ତାନର ଗତିବିଧି ଉପରେ ସତର୍କ ନଜର ରଖିବ।

ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୦ରୁ ଅଧିକ କମ୍ପାନୀ ଏହି ପ୍ରକଳ୍ପରେ ଯୋଗଦାନ କରିଛି ଏବଂ ପ୍ରାୟ ୪,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।

Leave a Reply

Your email address will not be published. Required fields are marked *