ଭାରତୀୟ ଉତ୍ପାଦ ଉପରେ ଆମେରିକାର ୨୫% ଶୁଳ୍କ: ଭାରତର ଦୃଢ଼ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୭, ୨୦୨୫ ଠାରୁ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଭାରତର ଋଷରୁ ତେଲ କିଣାକୁ କେନ୍ଦ୍ର କରି ନେଇଛି। ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ଭାରତ ଋଷରୁ ତେଲ କିଣି ପରୋକ୍ଷ ଭାବେ ୟୁକ୍ରେନ ଯୁଦ୍ଧରେ ସହାୟତା କରୁଛି। ଏହା ପୂର୍ବରୁ ଭାରତୀୟ ଉତ୍ପାଦ ଉପରେ ୨୫% ଶୁଳ୍କ ଲାଗିଥିବା ବେଳେ ଏବେ ଅତିରିକ୍ତ ୨୫% ଯୋଗ ହେବା ଫଳରେ କିଛି ଉତ୍ପାଦ ଉପରେ ମୋଟ ଶୁଳ୍କ ୫୦% ହେବ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହି ଶୁଳ୍କକୁ “ଅନ୍ୟାୟଯୁକ୍ତ ଓ ଅଯୌକ୍ତିକ” ବୋଲି ବର୍ଣ୍ଣନା କରିଛି। ମନ୍ତ୍ରାଳୟ କହିଛି ଯେ ଭାରତ ୧.୪ ବିଲିୟନ ଜନସଂଖ୍ୟାର ଶକ୍ତି ସୁରକ୍ଷା ପାଇଁ ଋଷରୁ ତେଲ କିଣୁଛି, ଯାହା ରାଷ୍ଟ୍ରୀୟ ହିତ ଦୃଷ୍ଟିରୁ ଆବଶ୍ୟକ। ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଏବଂ ୟୁରୋପୀୟ ଦେଶମାନେ ଭାରତକୁ ଋଷରୁ ତେଲ କିଣିବାକୁ ପ୍ରୋତ୍ସାହିତ କରିଥିଲେ। ତଥାପି, ଆମେରିକା ଏବଂ ୟୁରୋପ ନିଜେ ଋଷରୁ ଅନ୍ୟାନ୍ୟ ପଣ୍ୟ ଆମଦାନୀ ଜାରି ରଖିଛନ୍ତି, ଯାହାକୁ ଭାରତ “ଦ୍ୱୈତ ମାନଦଣ୍ଡ” ବୋଲି ଟୀକା କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରିସ୍ଥିତିରେ କହିଛନ୍ତି ଯେ ଭାରତ ସରକାର କୌଣସି ଆର୍ଥିକ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଏବଂ ରାଷ୍ଟ୍ରୀୟ ହିତ ରକ୍ଷା ପାଇଁ ବିକଳ୍ପ ରାସ୍ତା ବାହାର କରିବ। ଭାରତୀୟ ଅର୍ଥନୀତିବିତ୍‌ମାନେ ଚେତାବନୀ ଦେଇଛନ୍ତି ଯେ ଏହି ଶୁଳ୍କ ଯୋଗୁଁ ଭାରତର ଟେକ୍ସଟାଇଲ, ସାମୁଦ୍ରିକ ଏବଂ ଚର୍ମ ରପ୍ତାନୀ କ୍ଷେତ୍ର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ, ଯାହା ଦେଶର ଅର୍ଥନୀତିକୁ ପ୍ରଭାବିତ କରିପାରେ। ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ୍‌ (ଜିଟିଆରଆଇ) ଅନୁଯାୟୀ, ଏହି ଶୁଳ୍କ ଯୋଗୁଁ ଆମେରିକାକୁ ଭାରତର ରପ୍ତାନୀ ୪୦-୫୦% ହ୍ରାସ ପାଇପାରେ।

ସେପଟେ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରେ ଭାରତୀୟ ସେୟାର ବଜାର ପ୍ରଭାବିତ। ମଙ୍ଗଳବାର ସେନସେକ୍ସ ୮୧ ହଜାର ୬୩୫ ଦଶମିକ ୯୧ରୁ ୮୧ ହଜାର ୬୩ ଦଶମିକ ୨୬କୁ ଖସିଗଲା, ନିର୍ଦ୍ଦି ମଧ୍ଯ ତଳକୁ ଖସିଛି । ସନଫାର୍ମା, ଟାଟା ଷ୍ଟିଲ ଆଦି ସେୟାରରେ ବଡ଼ ହ୍ରାସ ଦେଖାଦେଇଛି । ମଙ୍ଗଳବାରର କାରବାରରେ ସେନସେକ୍ସ ସହିତ ନିର୍ଦ୍ଦିରେ ମଧ୍ୟ ଏକ ବଡ଼ ହ୍ରାସ ଦେଖୁବାକୁ ମିଳିଛି।

ସେନସେକ୍ସ ୫୭୦ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଅପରପକ୍ଷରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ନିର୍ଦ୍ଦି ୧୭୦ ପଏଣ୍ଟ ହ୍ରାସ ପାଇଛି। ଏହି ପରିସ୍ଥିତି ଯୋଗୁ ନିବେଶକଙ୍କ ମଧ୍ୟରେ ଚିନ୍ତା ଏବଂ ଅନିଶ୍ଚିତତା ବୃଦ୍ଧି ପାଇଛି। ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁଁ ବିଶ୍ବ ବଜାରରେ ଅସ୍ଥିରତା ବଢ଼ିଛି, ଯାହା ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇଛି। ନିବେଶକଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଛି।

Leave a Reply

Your email address will not be published. Required fields are marked *