କଟକରେ ରାଜନୈତିକ ହାଇଡ୍ରାମା: ସୋଫିଆଙ୍କୁ ଏମିତି କହିଲେ ସୁବାସ
କଟକ: କଟକରେ ସରଗରମ ରାଜନୀତି। ଚାଲିଛି କଥା କଟାକଟି।ତୀବ୍ର ବକ ଯୁଦ୍ଧ ନୁହେଁ ଜୋରସୋର୍ କଥା କଟା କଟି।ସହରରେ ରାଜନୈତିକ ଉତ୍ତେଜନା ଚରମସୀମାକୁ ପହଞ୍ଚିଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଏକ ସମୀକ୍ଷା ବୈଠକକୁ ନେଇ ଉଭୟଙ୍କ ମଧ୍ୟରେ ଦୁର୍ଦାନ୍ତ ବିବାଦ ସୃଷ୍ଟି ହୋଇଥିବାରୁ କଟକର ରାଜନୈତିକ ପରିସରରେ ହଇଚଇ ପ୍ରବଳ ହୋଇଛି।
ସୂଚନ ଅନୁସାରେ,ସୋଫିଆ ଫିର୍ଦ୍ଦୋସ ସିଏମସି କମିଶନର ସହ ସମୀକ୍ଷା ବୈଠକ କରିଥିଲେ, କିନ୍ତୁ ସେଥିରେ ମେୟରଙ୍କୁ ଡାକାଯାଇନଥିଲା। ଏହାକୁ ନେଇ ମେୟର ସୁବାସ ସିଂ କ୍ରୋଧ ପ୍ରକାଶ କରି କହିଛନ୍ତି, “ସୋଫିଆ ହେଉଛନ୍ତି ଆକ୍ସିଡେଣ୍ଟାଲ ଏମଏଲଏ। ସେ କେବଳ ପ୍ରସ୍ତାବ ଦେଇପାରିବେ, ସମୀକ୍ଷା କରିବାର ଅଧିକାର ନାହିଁ।” ସେ ଆହୁରି ଆକ୍ଷେପ କରି କହିଛନ୍ତି ଯେ, ସୋଫିଆଙ୍କ ପରିବାର କଟକକୁ “ବିପର୍ଯ୍ୟସ୍ତ” କରିଛନ୍ତି ଏବଂ “ପୋଖରୀ ପୋତି ବ୍ୟବସାୟ” କରି ସହରକୁ କ୍ଷତିଗ୍ରସ୍ତ କରିଛନ୍ତି।
ଅନ୍ୟପଟେ, ସୋଫିଆ ଫିର୍ଦ୍ଦୋସ ମେୟରଙ୍କ ଏହି ଆକ୍ଷେପର ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, “ମେୟର କଟକ ସହରକୁ ବୁଡ଼ାଇଦେଇଛନ୍ତି। ସେ ସଠିକ ସମୀକ୍ଷା କରିନଥିବାରୁ ଅନେକ କାମ ଅଧାରେ ରହିଯାଉଛି। ସେ ବୈଠକ ଛାଡ଼ି ପଳାଇଯାନ୍ତି ଏବଂ ଲୋକଙ୍କ ସମସ୍ୟା ବୁଝୁନାହାଁନ୍ତି।” ସେହିସହିତ ସୋଫିଆ ସ୍ପଷ୍ଟ କରିଛନ୍ତି ଯେ, ବିଧାୟିକା ହିସାବରେ ସେ ସମୀକ୍ଷା କରିବାର ପୂର୍ଣ୍ଣ ଅଧିକାର ରଖନ୍ତି।
ଉଭୟଙ୍କ ମଧ୍ୟରେ ଏହି ପାଲଟା ଆକ୍ଷେପ କଟକର ଜନସାଧାରଣଙ୍କ ମଧ୍ୟରେ ବିସ୍ତୃତ ଆଲୋଚନାର ସୃଷ୍ଟି କରିଛି। ଏହି ରାଜନୈତିକ ବିବାଦ ସହରର ବିକାଶ କାର୍ଯ୍ୟ ଓ ପ୍ରଶାସନିକ ସମନ୍ୱୟକୁ କିପରି ପ୍ରଭାବିତ କରିବ, ତାହା ଏବେ ସମୟ ଦେଖାଇବ।
