ବିଜେଡିରେ ଅସନ୍ତୋଷ: ପାଣ୍ଡିଆନଙ୍କୁ ରାଜା ସ୍ୱାଇଁଙ୍କ ପରିହାସ, ଦେବାଶିଷଙ୍କ ଅଭିଯୋଗ !

ଭୁବନେଶ୍ୱର: ବିଜେଡିରେ ଆଭ୍ୟନ୍ତରୀଣ କଳହ ଦିନକୁ ଦିନ ଗାଢ଼ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ବଢ଼ିଥିବା ବେଳେ, ଦଳର ବରିଷ୍ଠ ନେତାମାନେ ପୂର୍ବତନ ବରିଷ୍ଠ ନେତା ଭି.କେ. ପାଣ୍ଡିଆନଙ୍କୁ ଖୋଲାଖୋଲି ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ଆଠଗଡ଼ର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା ସ୍ୱାଇଁ) ଏକ ଦଳୀୟ କାର୍ଯ୍ୟକ୍ରମରେ ଦେଇଥିବା ଭାଷଣରେ ପାଣ୍ଡିଆନଙ୍କୁ ବ୍ୟଙ୍ଗାତ୍ମକ ଭାବେ ତାଚ୍ଛଲ୍ୟ କରିଛନ୍ତି।

ନବୀନଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ପାଣ୍ଡିଆନଙ୍କ ଉକ୍ତି ‘ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍’ ଏ ନେଇ ରଣେନ୍ଦ୍ର ସିଧାସଳଖ ନାମ ନନେଇ ଟିକେ ସ୍ମିତହାସ୍ୟ ଦେଇ ପରୋକ୍ଷ ଭାବେ ଆକ୍ରମଣ କରିଛନ୍ତି। ଏହାଛଡ଼ା ସ୍ରୋତ ବିରୋଧରେ ଚାଲିବା ଏବଂ ବିଧାୟକ ହୋଇ ଖାଲି ଭୋଟ୍ ମାଗିବା ଭଳି ପ୍ରସଙ୍ଗ ଉଠାଇ ଦଳର ବର୍ତ୍ତମାନର ପରିସ୍ଥିତିକୁ ଇଙ୍ଗିତ କରିଛନ୍ତି। ଏହି ଭାଷଣ ଦଳରେ କିଛି ଠିକ୍ ନଚାଲିଥିବାର ସଙ୍କେତ ଦେଉଛି। ତେବେ ଏନେଇ ପାଣ୍ଡିଆନ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଏହା ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିଲେ। ଏକ ଦୈନିକ ଖବରକାଗଜକୁ ଦେଇଥିବା ସାକ୍ଷାତ୍କାରରେ ଦେବାଶିଷ କହିଛନ୍ତି ଯେ, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରାଜ୍ୟବାସୀ ଏବଂ ଦଳୀୟ ନେତାମାନଙ୍କୁ ନଜଣାଇବା ପାଣ୍ଡିଆନଙ୍କର ବଡ଼ ଭୁଲ୍। ହସ୍ପିଟାଲରେ ଭର୍ତ୍ତି ହେବା ପରେ ହିଁ ନେତାମାନେ ଜାଣିପାରିଲେ, କିନ୍ତୁ ଘରେ ଅସୁସ୍ଥ ହେବା ସମୟରେ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଦେବାଶିଷ।

ସେ ଆହୁରି କହିଛନ୍ତି ଯେ, ନବୀନ ବାବୁ ଓଡ଼ିଶାର ନେତା, ତାଙ୍କର ସବୁ ଖବର ରାଜ୍ୟବାସୀ ଓ ଦଳୀୟ ନେତାମାନଙ୍କୁ ଜାଣିବା ଦରକାର। ହସ୍ପିଟାଲରେ ନବୀନଙ୍କୁ ଭେଟିବାକୁ ନେତାମାନଙ୍କୁ ନଛାଡ଼ିବା ନେଇ ଚର୍ଚ୍ଚାରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ଯେ, ପାଣ୍ଡିଆନଙ୍କ ‘ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍’ ଉକ୍ତି ଅହଂକାରର ପରିଚାୟକ ବୋଲି ପ୍ରମାଣିତ ହୋଇଛି। ଏହା ଦଳ ପାଇଁ କ୍ଷତିକାରକ ବୋଲି ମତ ଦେଇଛନ୍ତି ସେ।

୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ପାଣ୍ଡିଆନଙ୍କ ବିରୋଧରେ ସ୍ୱର ଉଚ୍ଚରେ ଉଠିବାରେ ଲାଗିଛି। ଏକଦା ଦଳରେ ପ୍ରାଧାନ୍ୟ ରଖୁଥିବା ପାଣ୍ଡିଆନଙ୍କ ବିରୁଦ୍ଧରେ କେହି କହିବାକୁ ଭୟ କରୁଥିଲେ, କିନ୍ତୁ ଏବେ ନିର୍ବାଚନୀ ହାର ପରେ ଦଳର ନେତାମାନେ ଖୋଲାଖୋଲି ସ୍ୱର ଉଠାଉଛନ୍ତି। ନବୀନଙ୍କ ଅସୁସ୍ଥତା ଏହି କଳହକୁ ଆହୁରି ବଢ଼ାଇଛି।

Leave a Reply

Your email address will not be published. Required fields are marked *