ନବୀନ ନିବାସରେ ପ୍ରେମ୍!
ଭୁବନେଶ୍ୱର :ଦୀର୍ଘ ଦିନ ପରେ ନବୀନ ନିବାସରେ ଦେଖିବାକୁ ମିଳିଲା ବିଜୁବାବୁଙ୍କ ବଡ଼ ପୁଅ ପ୍ରେମ୍ ପଟ୍ଟନାୟକଙ୍କୁ। ସାନ ଭାଇ ନବୀନ୍ ହସ୍ପିଟାଲକୁ ସୁସ୍ଥ ହୋଇ ଫେରିବା ପରେ, ପ୍ରେମ ପଟ୍ଟନାୟକ ତାଙ୍କୁ ଭେଟିବାକୁ ଆସିଥିବା ଚର୍ଚ୍ଚା ହେଉଛି। ତେବେ ଏଠି ସମସ୍ତଙ୍କ ଭିତରେ ସେଇ ଗୋଟିଏ ପ୍ରଶ୍ନ ନବୀନ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ, ହଠାତ କାହିଁକି ପ୍ରେମ୍ ଆସିଛନ୍ତି?
କେବଳ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ନା ଆଉ କିଛି କାରଣ ରହିଛି, ସେନେଇ ନେତାଠୁ ଆରମ୍ଭ କରି କର୍ମୀ ସମସ୍ତଙ୍କ ମନରେ ଉତ୍କଣ୍ଠା। ପ୍ରେମ ପଟ୍ଟନାୟକ ନବୀନ ନିବାସ ଏଣ୍ଟ୍ରି କରିବା ପରେ ରାଜନୈତିକ ଶିବିରରେ ଆରମ୍ଭ ହୋଇଯାଇଛି ଭିନ୍ନ ଭିନ୍ନ ଚର୍ଚ୍ଚା। କିଏ କହୁଛି ଭାଇଙ୍କ ସହ ଆଲୋଚନା କରି ଉତ୍ତରାଧିକାରୀ ସମ୍ପର୍କରେ ବଡ ନିଷ୍ପତି ନେଇପାରନ୍ତି ନବୀନ। ତ ଆଉ କିଏ କହୁଛି ରାଜ୍ୟ ଓ ଜାତୀୟ ରାଜନୀତିରେ ବିଜେଡିର ଆଭିମୁଖ୍ୟ ନେଇ ହୁଏତ ଆଲୋଚନା ହୋଇଥାଇପାରେ।
ଏମିତି ଭିନ୍ନ ଭିନ୍ନ ଆକଳନ ଚାଲିଛି। କିନ୍ତୁ ଏହାରି ଭିତରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେ କହିଛନ୍ତି ପାଣ୍ଡିଆନ ନୁହନ୍ତି ବିଜେଡିର ସର୍ବେ ସର୍ବା। ପାଣ୍ଡିଆନ ନବୀନ ବାବୁଙ୍କ ଘନିଷ୍ଠ ସହଯୋଗୀ। ନବୀନ ପଟ୍ଟନାୟକ ଅସୁସ୍ଥ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ସୁସ୍ଥ ହେବା ପରେ ବୁଧବାର ହସ୍ପିଟାଲରୁ ଫେରିଥିଲେ।
ପୂର୍ବରୁ ନବୀନଙ୍କ ସର୍ଭିକାଲ ଆର୍ଥାରାଇଟ୍ସ ଅସ୍ତ୍ରୋପ୍ରଚାର ସମୟରେ, ମୁମ୍ବାଇରେ ହସ୍ପିଟାଲକୁ ଯାଇ ଭେଟିଥିଲେ ପ୍ରେମ ପଟ୍ଟନାୟକ। ତାଙ୍କ ଚିକିତ୍ସା ସମ୍ବନ୍ଧୀୟ ଟିକନିକ୍ କଥା ବୁଝିଥିଲେ। ଏପରିକି ସେ ଏକ ଭିଡିଓ ବାର୍ତ୍ତା ଜାରି କରି ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ଦେଇଥିଲେ। ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନ ସମୟରେ ପ୍ରେମ୍ ପଟ୍ଟନାୟକଙ୍କ ପୁଅ ତଥା ନବୀନଙ୍କ ପୁତୁରା ନିଜ ବିବାହ ନିମନ୍ତ୍ରଣ ନେଇ ନବୀନ ନିବାସ ଆସିଥିଲେ। ସେତବେଳେ ମଧ୍ୟ ଠିକ୍ ଏହିପରି ଚର୍ଚ୍ଚା ହୋଇଥିଲା।
ବିଜୁ ପଟ୍ଟନାୟକଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ମୃତ୍ୟୁବେଳେ ଯେତବେଳେ ପ୍ରେମ୍ ପଟ୍ଟନାୟକଙ୍କ ପୁଅଙ୍କ ଆବିର୍ଭାବ ହୋଇଥିଲା, ସେତବେଳେ ଚର୍ଚ୍ଚା ହୋଇଥିଲା କି ସେ ବିଜେଡିର ପରବର୍ତ୍ତି ଉତ୍ତରାଧିକାରୀ ହୋଇ ପାରନ୍ତି। କିନ୍ତୁ ପରବର୍ତ୍ତି ସମୟରେ ପାଣ୍ଡିଆନଙ୍କ ଦବ୍ଦବା ଦଳରେ ଦେଖିବାକୁ ମିଳିଥିଲା। ଏପରିକି ନବୀନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପାଣ୍ଡିଆନ୍ କାହାକୁ ଛାଡ଼ୁନଥିବା ରାଜା ସ୍ୱାଇଁ ଅବିଯୋଗ କରିଥିଲେ।
ଏବେ ପୁଣି ଗଣେଶ୍ୱର ବେହେରା ପାଣ୍ଡିଆନଙ୍କୁ ଏପରି କହିବା ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରୁଛି। କିଏ ନବୀନଙ୍କ ପରେ ଦଳର ମଙ୍ଗ ଧରିବେ ହୁଏତ ସେନେଇ କିଛି ଆଲୋଚନା ହୋଇଛି। ଗଣେଶ୍ୱରଙ୍କ କନଫିଡେନ୍ସରୁ ତ ଏହା ଜଣା ପଡ଼ୁଛି। ତେବେ ଆଗକୁ ବିଜେଡିରେ କଣ ବଦଳୁଛି ତାକୁ ହିଁ ଅପେକ୍ଷା।
