ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବେ ବିରୋଧୀ
ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଓ ସାମାଜିକ ପରିବେଶ ଏବେ ଉତ୍ତେଜନାରେ ଭରି ରହିଛି। ଆସନ୍ତା 18 ରୁ 25 ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଉଭୟ ଦଳ। ବିଜେଡି ପକ୍ଷରୁ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ ସରକାରଙ୍କୁ ନାରୀ ନିର୍ଯାତନା, ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ଚାଷୀଙ୍କ ହନ୍ତସନ୍ତ ଭଳି ଗୁରୁତର ପ୍ରସଙ୍ଗରେ ପ୍ରଶ୍ନ କରାଯିବ। ଏହା ସହିତ ଗତ ଦେଢ଼ ବର୍ଷ ମଧ୍ୟରେ ସରକାରର କୃତିତ୍ୱ ଏବଂ ପ୍ରତିଶୃତି ପୂରଣ ସମ୍ପର୍କରେ ମଧ୍ୟ ତୀକ୍ଷ୍ଣ ପ୍ରଶ୍ନ ଉଠାଇବ ବିଜେଡି।
ଅନ୍ୟପକ୍ଷରେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ସରକାର ଭୟଭୀତ ହେବା କାରଣରୁ ବିଧାନସଭା ଅଧିବେଶନ ଡାକୁନଥିଲେ। ସେ କହିଛନ୍ତି, “ଏବେ ସରକାର କିଛିଟା ସ୍ଥିର ହେବା ପରେ ବାଧ୍ୟବାଧକତାରେ ମାତ୍ର ୭ ଦିନିଆ ଅଧିବେଶନ ଡାକିଛନ୍ତି।” କଂଗ୍ରେସ ଏହି ଅଧିବେଶନରେ ଅନାସ୍ଥା ପ୍ରସ୍ତାବ, ଭୋଟ ଚୋରୀ ଏବଂ ନାରୀ ନିର୍ଯାତନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଯୋଜନା କରିଛି। ତାରା ପ୍ରସାଦ ଆହୁରି ମଧ୍ୟ କହିଛନ୍ତି, “ଆମେ ସରକାରଙ୍କୁ ଏହି ସମସ୍ତ ପ୍ରସଙ୍ଗରେ ଜବାବ ଦେବାକୁ ବାଧ୍ୟ କରିବୁ |”
ଗତ କିଛି ଅଧିବେଶନରେ ବିରୋଧୀ ଦଳମାନଙ୍କ ଦ୍ୱାରା ହଙ୍ଗାମା ଓ ବାଚସ୍ପତିଙ୍କ ଚାମ୍ବର ଘେରାଉ ଭଳି ଘଟଣା ଦେଖାଯାଇଥିବାରୁ ଏଥର ମଧ୍ୟ ଏକ ଉତ୍ତେଜନାପୂର୍ଣ୍ଣ ଅଧିବେଶନର ସମ୍ଭାବନା ରହିଛି। ବିଶେଷକରି ନାରୀ ନିର୍ଯାତନା ଓ ଚାଷୀଙ୍କ ସମସ୍ୟା ଭଳି ଜନସାଧାରଣଙ୍କୁ ସିଧାସଳଖ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକ ଉପରେ ତୀବ୍ର ବିତର୍କ ହେବାର ଆଶଙ୍କା ରହିଛି।
