ଆସିଲା ଟ୍ରେନ ପାଇଁ ନୂଆ ନିୟମ : ଏଣିକି ନେଇ ପାରିବେନି ମନଇଚ୍ଛା ଲଗେଜ୍
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ନୂଆ ଲଗେଜ୍ ନିୟମ ଜାରି କରିବାକୁ ଯାଉଛି, ଯାହା ବିମାନ ଯାତ୍ରାରେ ଥିବା ଲଗେଜ୍ କଟକଣା ସହ ସମାନ। ଏହି ନିୟମ ଅନୁଯାୟୀ, ଯାତ୍ରୀମାନେ ନିର୍ଦ୍ଦିଷ୍ଟ ଓଜନ ସୀମା ମଧ୍ୟରେ ବ୍ୟାଗେଜ୍ ନେଇ ପାରିବେ। ଅନୁମୋଦିତ ଓଜନ ଅପେକ୍ଷା ଅଧିକ ଲଗେଜ୍ ନେଲେ ଅତିରିକ୍ତ ଖର୍ଚ୍ଚ କରି ରେଳ ଷ୍ଟେସନର ଲଗେଜ୍ କାଉଣ୍ଟରରେ ବୁକିଂ କରାଇବାକୁ ପଡ଼ିବ। ମନଇଚ୍ଛା ଓଜନ ବା ଅନୁମୋଦିତ ଆକାର ଅପେକ୍ଷା ବଡ଼ ଲଗେଜ୍ ନେଲେ ଜରିମାନା ଦେବାକୁ ପଡ଼ିବ।
ରେଳ ବିଭାଗ ସୂଚନା ଅନୁସାରେ, ଏହି ନୂଆ ବ୍ୟବସ୍ଥା ପ୍ରଥମେ ଉତ୍ତର ମଧ୍ୟ ରେଳବାଇ ତଥା ପ୍ରୟାଗରାଜ, କାନପୁର, ମିର୍ଜାପୁର ଭଳି ପ୍ରମୁଖ ଷ୍ଟେସନରେ ପରୀକ୍ଷାମୂଳକ ଭାବେ ଲାଗୁ ହେବ। ଏଥିପାଇଁ ଷ୍ଟେସନଗୁଡ଼ିକରେ ଆଧୁନିକ ଓଜନ ମେସିନ ଓ ସ୍କାନିଂ ସିଷ୍ଟମ ସ୍ଥାପନ କରାଯାଉଛି। ଟ୍ରେନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କ ଲଗେଜ୍ ଓଜନ ଓ ଆକାର ଯାଞ୍ଚ କରାଯିବ। ନୂଆ ନିୟମ ଅନୁସାରେ ଏସି ଫାଷ୍ଟ୍ କ୍ଲାସରେ ୭୦ କେଜି, ଏସି ଟୁ-ଟିଅରରେ ୫୦ କେଜି, ଏସି ଥ୍ରୀ-ଟିଅର ଓ ସ୍ଲିପରରେ ୪୦ କେଜି, ଜେନେରାଲ୍ କ୍ଲାସରେ ୩୫ କେଜି ଓଜନ ବିଶିଷ୍ଟ ଲଗେଜ ନେବା ପାଇଁ ଅନୁମତି ମିଳିବ |
ଏହି ସୀମା ମଧ୍ୟରେ ଥିବା ଲଗେଜ୍ ପାଇଁ ଅତିରିକ୍ତ ଖର୍ଚ୍ଚ ଲାଗିବ ନାହିଁ। ତେବେ, ଅଧିକ ଓଜନ ଥିଲେ ଯାତ୍ରୀଙ୍କୁ ଲଗେଜ୍ ବୁକିଂ କାଉଣ୍ଟରରେ ଅତିରିକ୍ତ ଦରରେ ୧.୫ ଗୁଣ ଖର୍ଚ୍ଚ ଦେଇ ବୁକିଂ କରିବାକୁ ହେବ। ଯଦି ବୁକିଂ ବିନା ଅଧିକ ଓଜନର ଲଗେଜ୍ ଧରାପଡ଼େ, ତେବେ ୬ ଗୁଣ ପର୍ଯ୍ୟନ୍ତ ଜରିମାନା ଆଦାୟ ହୋଇପାରେ।
ତେବେ ରେଳ ଅଧିକାରୀଙ୍କ ମତରେ, ଅତ୍ୟଧିକ ଲଗେଜ୍ ଯୋଗୁ ଟ୍ରେନରେ ଭିଡ଼, ଅସୁବିଧା ଓ ନିରାପତ୍ତା ସମସ୍ୟା ଦେଖାଦେଉଛି। ଏହି ନୂଆ ନିୟମ ଯାତ୍ରୀଙ୍କ ସୁବିଧା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ଟ୍ରେନ ଚଳାଚଳକୁ ଆହୁରି ସୁଗମ କରିବ।
