ଓଡିଶାରେ ‘ଭୋଟ୍ ଚୋରି’ ଷଡଯନ୍ତ୍ର ଆଶଙ୍କା: ବିଜେପିକୁ କଂଗ୍ରେସର ଚେତାବନୀ
ଭୁବନେଶ୍ୱର: ଆକ୍ସନ ମୋଡରେ କଂଗ୍ରେସ, ବିହାର ପରି ଓଡିଶାରେ ମଧ୍ୟ ସ୍ବତନ୍ତ୍ର ସଂଶୋଧନ ସଙ୍ଘନ(ଏସଆଇଆର)କୁ ଅସ୍ତ୍ର କରି ବିଜେପି ବ୍ୟାପକ ‘ଭୋଟ୍ ଚୋରି’ କରିବାକୁ ମସୁଧା କରୁଥିବା ଆଶଙ୍କା ପ୍ରକାଶ କରିଛି ପିସିସି। ବିହାରରେ ଏସଆଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା ପ୍ରକାଶ ନ କରିବାକୁ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରି ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ ଦେବା ପରେ ସରକାରଙ୍କ ଉଦ୍ଦେଶ୍ୟ ପଦାରେ ପଡିଛି।
ପିସିସି ସଭାପତି ଭକ୍ତଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ଗତ ନିର୍ବାଚନରେ ଓଡିଶାରେ ୪୨ ଲକ୍ଷ ଭୋଟ୍ ଚୋରି ହୋଇଛି। ଲୋକସଭା ଓ ବିଧାନସଭା ଭୋଟସଂଖ୍ୟାରେ ଅସଙ୍ଗତି, ଅପରାହ୍ଣ ୫ଟା ପରେ ମତଦାନ ହାରରେ ୭ରୁ ୩୦% ବଢିବା ଆଦି ଘଟଣା ବିଜେପିର ‘ଭୋଟ୍ ଚୋରି’କୁ ପ୍ରମାଣ କରୁଛି। ସେ କହିଛନ୍ତି, କଂଗ୍ରେସ କେବଳ ବିରୋଧ ପାଇଁ ବିରୋଧ କରୁନାହିଁ। ଦଳ ଚାହୁଁଛି ଯୋଗ୍ୟ ଭୋଟରମାନେ ତାଲିକାଭୁକ୍ତ ହୁଅନ୍ତୁ ଏବଂ ଅଯୋଗ୍ୟମାନେ ବାଦ ପଡନ୍ତୁ। କିନ୍ତୁ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ଓ ପଦକ୍ଷେପରୁ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆୟୋଗର ଉଦ୍ଦେଶ୍ୟ ସନ୍ଦେହଜନକ ମନେହେଉଛି।
ଶ୍ରୀ ଦାସ ଚେତାବନୀ ଦେଇ କହିଛନ୍ତି, ମହାରାଷ୍ଟ୍ର ଓ ବିହାର ପରି ଓଡିଶାରେ ଭୋଟର ତାଲିକାରେ ଜାଲିଆତି ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ଏହି ପରିପ୍ରେକ୍ଷୀରେ ଆସନ୍ତା ୪ ସେପ୍ଟେମ୍ବରରେ ‘ଭୋଟ୍ ଚୋରି’ ବିରୋଧରେ ପିସିସି ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଉଲ୍ଲେଖ ଥାଉ କି ଭୋଟ ଚୋରିଅଭିଯୋଗ ଆଣି ଏବେ ଆକ୍ସନ ମୁଡ଼କୁ ଆସିଯାଇଛି କଂଗ୍ରେସ | କଂଗ୍ରେସ ଏବେ ବିଜେପିକୁ ଘେରିବାକୁ ପ୍ରସ୍ତୁତ ହେଉଥିବାବେଳେ ଓଡ଼ିଶାରେ ଭୋଟ ଚୋରି ପ୍ରସଙ୍ଗରେ ବିଜେଡି ମଧ୍ୟ କଂଗ୍ରେସ ସହ ସ୍ବର ମିଳାଉଛି। ଚର୍ଚ୍ଚା ହେଉଛି ଅପରାହ୍ନ ୫ଟା ପରେ ମତଦାନ ହାର ବଢିବା, ଭୋଟ ଚୋରିକୁ ପ୍ରମାଣ କରୁଛି।
