‘ହସ୍ପିଟାଲ ନୁହେଁ ନବୀନ ନିବାସ ଆସନ୍ତୁ

ଭୁବନେଶ୍ବର: ବିଜୁ ଜନତା ଦଳ ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥତା ଯୋଗୁଁ ଭୁବନେଶ୍ବରର ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସନ୍ଧ୍ୟା ୫ଟା ୧୫ରେ ଡିହାଇଡ୍ରେସନ୍‌ ଯୋଗୁଁ ତାଙ୍କୁ ଏହି ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି |

ନବୀନ ପଟ୍ଟନାୟକ ହସ୍ପିଟାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, “ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସନ୍ତୁ।” ଏହି ବାର୍ତ୍ତା ମାଧ୍ୟମରେ ସେ ପରୋକ୍ଷ ଭାବେ ସମର୍ଥକ ଓ ପ୍ରଶଂସକମାନଙ୍କୁ ହସ୍ପିଟାଲ ନଆସିବାକୁ ଅନୁରୋଧ କରିଛନ୍ତି। ସେ ଡାକ୍ତରୀ ଟିମ୍‌, ଦଳୀୟ ନେତା, ସମର୍ଥକ ଏବଂ ପ୍ରଶଂସକମାନଙ୍କୁ ତାଙ୍କ ସମର୍ଥନ ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ବାର୍ତ୍ତା ସୂଚାଉଛି ଯେ, ସେ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି।

ଏହା ପୂର୍ବରୁ ଗତକାଲି ନବୀନ ଏକ ଭିଡିଓ ମାଧ୍ୟମରେ କହିଥିଲେ, “ମୁଁ ସୁସ୍ଥ ଅଛି।” ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ସମର୍ଥକ ଓ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି।

ନବୀନଙ୍କ ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଚାଲିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମେଡିକାଲ ବୁଲେଟିନ ଅନୁଯାୟୀ, ନବୀନଙ୍କୁ ଡିହାଇଡ୍ରେସନ୍‌ ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଥିଲା, ଏବଂ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେହିପରି ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ସେ ଆଇସିୟୁରେ ଅଛନ୍ତି। ଡାକ୍ତରଙ୍କ ସହ ଆଲୋଚନା କରିଛି, ହୁଏତ ଆଜି କିମ୍ବା କାଲି ସକାଳେ ସେ ଡିସଚାର୍ଜ ହୋଇପାରନ୍ତି।”

ନବୀନଙ୍କ ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ଗତକାଲିଠାରୁ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକଙ୍କ ଭିଡ଼ ଜମିଛି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏବଂ ଏକାମ୍ର ବିଧାୟକ ବାବୁ ସିଂ ହସ୍ପିଟାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଓଡ଼ିଶାବାସୀ ମଧ୍ୟ ତାଙ୍କ ପ୍ରିୟ ନେତାଙ୍କ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି।

Leave a Reply

Your email address will not be published. Required fields are marked *