କଲେଜମାନଙ୍କରେ ଧୀମା ପଡିଯାଇଛି ନିର୍ବାଚନ ପ୍ରସ୍ତୁତି
ଭୁବନେଶ୍ୱର: ଏବେ ଚର୍ଚ୍ଚାରେ କଲେଜ କ୍ୟାମ୍ପସ |ବର୍ତ୍ତମାନ କ୍ୟାମ୍ପସରେ ରାଜନୀତି ସରଗରମ ରହିଛି | ମାତ୍ର ପିଲାମାନଙ୍କ ମଧ୍ୟରେ ଛାତ୍ର ନିର୍ବାଚନକୁ ନେଇ ଏ ଯାଏଁ କୌଣସି ସ୍ପଷ୍ଟତା ପରିଲକ୍ଷିତ ହୋଇନାହିଁ | ଏହି ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟର ଅନେକ କଲେଜ୍ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା, ଅସନ୍ତୋଷ, ଗୋଳମାଳ, ହିଂସା ଘଟଣା ବଢିଥିବାରୁ ଛାତ୍ର ସଂଗଠନଗୁଡ଼ିକ ଠିକଭାବେ ପ୍ରସ୍ତୁତ ହୋଇପାରୁନାହାନ୍ତି |
ଭୁବନେଶ୍ୱରର ବିଭିନ୍ନ କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳ, ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ପ୍ରତିଷ୍ଠା ବଢ଼ାଇବାକୁ ଲାଗିଥିବାବେଳେ, କଂଗ୍ରେସ ଛାତ୍ରମାନେ ପଛରେ ରହିଯାଇଛନ୍ତି |ବିଜୁ ଛାତ୍ର ଜନତା ଦଳ ପୂର୍ବରୁ ଆଗରେ ଦେଖାଯାଉଛି। ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ, ମହର୍ଷି ଓ ରାଜଧାନୀ କଲେଜରେ ବିଜେଡି ଛାତ୍ରନେତାମାନେ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଆନ୍ଦୋଳନ କରୁଛନ୍ତି। ପୁଲିସରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଓ ଖୋଲା ଚିଠି ଦେବା ପର୍ଯ୍ୟନ୍ତ ବିଜେଡି ଛାତ୍ରଶାଖା କ୍ୟାମ୍ପସରେ ସକ୍ରିୟ ହୋଇଛି।
ଏବିଭିପି ଧୀରେ-ଧୀରେ କ୍ୟାମ୍ପସରେ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛି। ଉତ୍କଳ, ବିଜେବି, ମହର୍ଷି ଓ କମଳା ନେହେରୁ ମହିଳା କଲେଜରେ ସେମାନଙ୍କର ଭିତିଭୂମି ଦୃଢ଼ ହେଉଥିବା ଦେଖାଯାଉଛି।ବିଜେପି ଯୁବମୋର୍ଚ୍ଚା ମଧ୍ୟ କ୍ୟାମ୍ପସରେ ଆଗ୍ରହୀ। ଭୁବନେଶ୍ୱରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସଙ୍ଗଠନକୁ ସୁଦୃଢ଼ କରିଛି। କିଛି ଦିନ ତଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବୈଠକ ଓ ଭୁବନେଶ୍ୱରରେ ଆୟୋଜିତ “ତ୍ରିରଙ୍ଗା ଶୋଭାଯାତ୍ରା” ମାଧ୍ୟମରେ ଛାତ୍ରମାନଙ୍କୁ ଜାଗୃତ କରିଛି।
ଏପଟେ ଛାତ୍ର କଂଗ୍ରେସ ଅତ୍ୟନ୍ତ ନିଷ୍କ୍ରିୟ। ପୂର୍ବରୁ ଉତ୍କଳ ସହିତ କିଛି କ୍ୟାମ୍ପସରେ ସଂଗଠନ ଥିଲେ ମଧ୍ୟ, ଏବେପର୍ଯ୍ୟନ୍ତ ତାଙ୍କର କୌଣସି ସ୍ପଷ୍ଟ କାର୍ଯ୍ୟକଳାପ ଦେଖିବାକୁ ମିଳୁନାହିଁ। ନାମଲେଖା ସମୟରେ ମଧ୍ୟ ସେମାନଙ୍କର ନିର୍ବାଚନ କ୍ୟାମ୍ପର ଅନୁପସ୍ଥିତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।
