ଜାମ୍ମୁ କାଶ୍ମୀରରେ ପ୍ରକୃତିର ତାଣ୍ଡବ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଜୋଧଘାଟି ଓ ଜାଙ୍ଗଲୋଟେ ଗ୍ରାମରେ ଶନିବାର ଓ ରବିବାର ମଧ୍ୟରାତ୍ରିରେ ଘଟିଥିବା ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ଭୀଷଣ କ୍ଷୟକ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଜୋଧଘାଟିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାଙ୍ଗଲୋଟେରେ ଭୂସ୍ଖଳନରେ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପୂର୍ବରୁ କିସ୍ତୱାଡ଼ ଜିଲ୍ଲାର ଚିସୋଟି ଗ୍ରାମରେ ଗୁରୁବାର ବାଦଲଫଟା ବର୍ଷା ଓ ବନ୍ୟାରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

ଜମ୍ମୁ ଡିଭିଜନାଲ କମିସନର ରମେଶ କୁମାରଙ୍କ କହିବା ଅନୁସାରେ, କଠୁଆର ଜୋଧଘାଟିରେ ବାଦଲଫଟା ବର୍ଷା ଯୋଗୁଁ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇଛି, ଯାହା ଫଳରେ ଅନେକ ଘର, ସଡ଼କ ଓ ସରକାରୀ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ଜାମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ ମଧ୍ୟ ଧସି ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ପୁଲିସ, ଏସଡିଆରଏଫ, ଏନଡିଆରଏଫ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି। ହେଲିକପ୍ଟର ମାଧ୍ୟମରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।

ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆଲୋଚନା କରି ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଘୋଷଣା କରିଛନ୍ତି, ଯେଉଁଥିରେ ମୃତକଙ୍କ ପରିବାରକକୁ ୨ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା, ଆଂଶିକ ଆହତଙ୍କୁ ୫୦,୦୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ଘର ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *