ଓଡ଼ିଶାରେ ୨୦ ଟନ୍ ସୁନା ଭଣ୍ଡାର ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାର ମାଟି ତଳେ ବ୍ୟାପକ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍‌ଆଇ) ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୁନା ଖଣି ଥିବା ସ୍ପଷ୍ଟ କରିଛି। ଆକଳନ ଅନୁସାରେ, ଓଡ଼ିଶାରେ ୧୦ରୁ ୨୦ ଟନ୍ ସୁନା ଭଣ୍ଡାର ରହିଛି, ଯାହାର ଅନ୍ବେଷଣ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟାୟରେ ଚାଲିଛି।

ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା ଅନୁଯାୟୀ, ଦେବଗଡ଼ର ଅଡ଼ଶ-ରାମପଲ୍ଲୀ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ସୁନା ଭଣ୍ଡାର ଠାବ ହୋଇଛି। ଏହା ସହିତ ମୟୂରଭଞ୍ଜ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସୁନା ଅନ୍ବେଷଣ ଜାରି ରହିଛି। ରାଜ୍ୟ ସରକାର ଏହି ସୁନା ଖଣିଗୁଡ଼ିକୁ ଶୀଘ୍ର ନିଲାମ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଓ ଜିଏସ୍‌ଆଇ ମିଳିତ ଭାବେ ପ୍ରାରମ୍ଭିକ ପଦକ୍ଷେପ ନେଉଛନ୍ତି। ବିଶେଷ କରି ଦେବଗଡ଼ରେ ଥିବା ସୁନା ଖଣିକୁ ନିଲାମ କରିବା ପାଇଁ ତୀବ୍ର ଉଦ୍ୟମ ଚାଲିଛି।

ବିଶେଷଜ୍ଞମାନଙ୍କ ମତରେ, ଓଡ଼ିଶାରେ ସୁନା ଖଣି ଉତ୍ତୋଜନ ହେଲେ ଦେଶରେ ସୁନା ଆମଦାନୀ ଉପରେ ନିର୍ଭରତା କମିପାରିବ। ବର୍ତ୍ତମାନ ଦେଶ ପ୍ରତିବର୍ଷ ୭୦୦-୮୦୦ ଟନ୍ ସୁନା ଆମଦାନୀ କରୁଛି, କିନ୍ତୁ ଦେଶୀୟ ଉତ୍ପାଦନ ମାତ୍ର ୧.୬ ଟନ୍‌ରେ ସୀମିତ ରହିଛି। ଓଡ଼ିଶାରେ ସୁନା ଖଣିଗୁଡ଼ିକର ଖନନ ଦେଶର ବୈଦେଶିକ ମୁଦ୍ରା ଖର୍ଚ୍ଚକୁ ଅନେକାଂଶରେ ହ୍ରାସ କରିପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *