୭ ଦିନରେ ଦିଅ ଶପଥପତ୍ର ଦିଅ: ରାହୁଲଙ୍କୁ ତାଗିଦ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଣିଥିବା ଭୋଟଚୋରି ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ଭାରତର ନିର୍ବାଚନ କମିଶନ । କମିଶନ କହିଛନ୍ତି ଯେ ଭୋଟଚୋରି ଅଭିଯୋଗ ଭିତ୍ତିହୀନ ଓ ଏହା ମାଧ୍ୟମରେ କମିଶନଙ୍କୁ କଳଙ୍କିତ କରିବାକୁ ଚେଷ୍ଟା କରାଯାଉଛି। ନିର୍ବାଚନ କମିଶନ କହିଛନ୍ତି ଯେ ପଞ୍ଜିକରଣ ସହ ସବୁ ରାଜନୈତିକ ଦଳଙ୍କ ଜନ୍ମ ହୋଇଥାଏ। ଏଣୁ କମିଶନ କିପରି କାହା ପ୍ରତି ପକ୍ଷପାତ କରିପାରିବେ ? ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି ଯେ ଗତ ୨ ଦଶନ୍ଧି ଧରି ପ୍ରତ୍ୟେକ ରାଜନୈତିକ ଦଳ ଭୋଟର ତାଲିକାରେ ସଂଶୋଧନ ଲାଗି ଦାବି କରିଆସୁଛନ୍ତି ।
ଏଥିପାଇଁ କମିସନ ଭୋଟର ତାଲିକାରେ ସ୍ବତନ୍ତ୍ର ତ୍ବରିତ ସମୀକ୍ଷା (ଏସଆଇଆର) ବିହାରରୁ ଆରମ୍ଭ କରିଛନ୍ତି ।କମିସନ କହିଛନ୍ତି ଯେ ଭୋଟ ପୂର୍ବରୁ ଭୋଟର ତାଲିକା ସଂଶୋଧନ ପାଇଁ ସମୟ ଦିଆଯାଇଥାଏ । ଭୋଟ ପରେ ମଧ୍ୟ କୌଣସି ପ୍ରକାର ଅନିୟମିତତା ପାଇଁ ୪୫ ଦିନ ମଧ୍ୟରେ କୋର୍ଟରେ ଅଭିଯୋଗ କରାଯାଇପାରିବ । ଏପରି ନ କରି କେତେକ ଦଳ ରାଜନୈତିକ ଲାଭ ପାଇଁ ଭୋଟଚୋରି ପରି ଭୁଲ ଶବ୍ଦ ବ୍ୟବହାର କରି ଲୋକମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଉଛି ।
୭ ଦିନରେ ଦିଅ ଶପଥପତ୍ର
ସେହିପରି ଭୋଟଚୋରି ଅଭିଯୋଗ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। କମିସନ ସ୍ପଷ୍ଟଭାବେ କହିଛନ୍ତି ଯେ ଶପଥପତ୍ର ଦାଖଲ କରିବାକୁ ହେବ ନଚେତ୍ କ୍ଷମା ମାଗିବାକୁ ହେବ । କୌଣସି ତୃତୀୟ ବିକଳ୍ପ ନାହିଁ । ଯଦି ୭ ଦିନ ମଧ୍ୟରେ ସେ ଶପଥପତ୍ର ନ ଦିଅନ୍ତି ତେବେ ଅଭିଯୋଗ ଭିତ୍ତିହୀନ ବୋଲି ଧରାଯିବ ।
