ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦେବାକୁ କହି ଟ୍ରୋଲ ହେଲେ ରାଜ କୁନ୍ଦ୍ରା!

ମୁମ୍ବାଇ: ବଲିଉଡର ଜଣାଶୁଣା ଦମ୍ପତି ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିକଟରେ ବୃନ୍ଦାବନ ଗସ୍ତ କରି ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଏହି ସାକ୍ଷାତ ସମୟରେ ରାଜ କୁନ୍ଦ୍ରା ମହାରାଜଜୀଙ୍କୁ ନିଜର ଗୋଟିଏ କିଡନୀ ଦାନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହା ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରସ୍ତାବ ପରେ ରାଜଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା।

ଟ୍ରୋଲିଂର ଶିକାର ହେବା ପରେ ରାଜ କୁନ୍ଦ୍ରା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି। ସେ ଲେଖିଛନ୍ତି, “ଆମେ କି ଅଜବ ଦୁନିଆରେ ରହୁଛୁ। ଏଠାରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଶରୀରର ଏକ ଅଂଶ ଦେବାକୁ ଚାହିଁଲେ, ଲୋକମାନେ ଏହାକୁ ପିଆର ଷ୍ଟଣ୍ଟ ବୋଲି କହୁଛନ୍ତି।

ଯଦି ମାନବିକତା ଏକ ରଣନୀତି, ତେବେ ମୁଁ ଚାହେଁ ଯେ ସମସ୍ତେ ଏଭଳି ରଣନୀତି କରନ୍ତୁ। ଆଲୋଚନା କମ୍ କରି ଅଧିକ ଭଲପାଇବା ବାଣ୍ଟନ୍ତୁ। ରାଧେ ରାଧେ।”ସୂଚନାଯୋଗ୍ୟ, ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚି ରାଜ କୁନ୍ଦ୍ରା କହିଥିଲେ, “ମୁଁ ଦୁଇ ବର୍ଷ ଧରି ଆପଣଙ୍କୁ ଅନୁସରଣ କରିଆସୁଛି। ଆପଣ ସମସ୍ତଙ୍କ ପାଇଁ ପ୍ରେରଣା। ମୁଁ ଆପଣଙ୍କ ଯନ୍ତ୍ରଣା ଜାଣେ। ଯଦି ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି, ତେବେ ମୁଁ ମୋର ଗୋଟିଏ କିଡନୀ ଆପଣଙ୍କୁ ଦାନ କରିବି।”

ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି। କିଛି ଲୋକ ରାଜଙ୍କ ଏହି ପ୍ରସ୍ତାବକୁ ମାନବିକତାର ଏକ ଉଦାହରଣ ଭାବେ ପ୍ରଶଂସା କରିଥିବା ବେଳେ, ଅନ୍ୟ କେତେଜଣ ଏହାକୁ ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିବାର ଏକ ରଣନୀତି ବୋଲି ଅଭିହିତ କରିଛନ୍ତି।

Leave a Reply

Your email address will not be published. Required fields are marked *