ଯୁବରାଜ, ଶିଖରଙ୍କ ପରେ, ଠକେଇ ମାମଲାରେ ସୁରେଶଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଜି କ୍ରିକେଟର ସୁରେଶ ରାଇନାଙ୍କୁ ଅନଲାଇନ୍ ବେଟିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବା ନେଇ ସୂଚନା ମିଳିଛି। ଏହାପୂର୍ବରୁ ଯୁବରାଜ ସିଂହ, ଶିଖର ଧାୱନ ଏବଂ କେତେକ ବଲିଉଡ ତାରକାଙ୍କୁ ମଧ୍ୟ ଇଡି ପଚରାଉଚରା ସାରିଛି।ସୁରେଶ ରାଇନାଙ୍କ ଉପରେ ବେଟିଂ ଆପ୍ 1xBET(୧ଏକ୍ସବେଟ୍)କୁ ପ୍ରୋତ୍ସାହିତ କରିବାର ଅଭିଯୋଗ ହୋଇଛି। ସେ ଏହାର ବ୍ରାଣ୍ଡ ଆମ୍ବାସାଡର ଥିବାନେଇ ସୂଚନା ମିଳିଛି |

ଆର୍ଥିକ ଠକେଇ ମାମଲାରେ ଇଡି ୧ଏକ୍ସବେଟ୍, ଫୋର୍‌ପ୍ଲେ, ଲୋଟସ୬୫ ଏବଂ ଅନ୍ୟାନ୍ୟ ବେଟିଂ ଆପ୍‌ଗୁଡ଼ିକ ଉପରେ ତଦନ୍ତ ଜାରି ରଖିଛି। ଦକ୍ଷିଣ ଭାରତୀୟ ସେଲିବ୍ରିଟି, କ୍ରିକେଟର ଏବଂ ବଲିଉଡ ତାରକାମାନେ ବର୍ତ୍ତମାନ ଇଡିର ତୀକ୍ଷ୍ଣ ନଜରରେ ରହିଛନ୍ତି। ଏହି ମାମଲାରେ ଇଡି ପୂର୍ବରୁ ଗୁଗୁଲ୍ ଏବଂ ମେଟାକୁ ମଧ୍ୟ ସମନ ଜାରି କରିସାରିଛି।

ଭାରତରେ ପ୍ରାୟ ୨୨ କୋଟି ଲୋକ କୌଣସି ନା କୌଣସି ଅନଲାଇନ୍ ବେଟିଂ ଆପ୍ ସହିତ ସମ୍ପୃକ୍ତ। ଏଥିମଧ୍ୟରୁ ୧୧ କୋଟି ଲୋକ ନିୟମିତ ଭାବେ ବେଟିଂ କରନ୍ତି, ଅର୍ଥାତ୍ ସେମାନେ ପ୍ରତିଦିନ ଏହି ଆପ୍‌ଗୁଡ଼ିକ ବ୍ୟବହାର କରନ୍ତି। ୨୦୨୫ ବର୍ଷର ପ୍ରଥମ ତିନି ମାସରେ, ଲୋକମାନେ ଏହି ବେଆଇନ ବେଟିଂ ୱେବସାଇଟ୍‌ଗୁଡ଼ିକୁ ୧.୬ ବିଲିୟନ ଥର ପରିଦର୍ଶନ କରିଛନ୍ତି।

ଭାରତରେ ଅନଲାଇନ୍ ବେଟିଂ ବଜାରର ମୂଲ୍ୟ ବର୍ତ୍ତମାନ ୧୦୦ ବିଲିୟନ ଡଲାର (୮.୩ ଲକ୍ଷ କୋଟି ଟଙ୍କା)ରୁ ଅଧିକ ଏବଂ ଏହା ପ୍ରତିବର୍ଷ ୩୦% ହାରରେ ବୃଦ୍ଧି ପାଉଛି। ଆକଳନ ଅନୁସାରେ, ଶୀର୍ଷ ବେଟିଂ ଆପ୍‌ଗୁଡ଼ିକ ପ୍ରତିବର୍ଷ ୨୭,୦୦୦ କୋଟି ଟଙ୍କାର ଟିକସ ଫାଙ୍କି ଦେଉଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଜୁଆ ନିଶା ଏକ ମାନସିକ ରୋଗ ଯାହା ଲୋକଙ୍କୁ ଅବସାଦ, ମାନସିକ ଚାପ ଏବଂ ଆତ୍ମହତ୍ୟା ଆଡ଼କୁ ଠେଲି ଦେଇଥାଏ। ଭାରତରେ, ଅନଲାଇନ୍ ଜୁଆରେ ଆର୍ଥିକ କ୍ଷତି ହେବା ପରେ ହଜାର ହଜାର ଯୁବକ, ଛାତ୍ର ଏବଂ ଗୃହିଣୀ ଆତ୍ମହତ୍ୟା କରିଛନ୍ତି। ଏକ ପିଆଇଏଲ୍ ଅନୁଯାୟୀ, କେବଳ ତେଲେଙ୍ଗାନାରେ ୧୦୨୩ ଜଣ ଅନଲାଇନ୍ ଜୁଆରେ ହାରିବା ପରେ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *