୫ବର୍ଷରେ ଆତ୍ମହତ୍ୟା କଲେଣି ୭୨ଜଣ ଛାତ୍ରଛାତ୍ରୀ, ଆଶ୍ଚର୍ଯ୍ୟ କରିଦେବ ତଥ୍ୟ
ଭୁବନେଶ୍ବର: ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ ରୂପ ନେଇଛି। ୨୦୨୦ରୁ ୨୦୨୫ ପର୍ଯ୍ୟନ୍ତ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ତଥ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଖିଛନ୍ତି। ଏହି ଘଟଣାଗୁଡ଼ିକର ମୂଳ କାରଣ ହେଉଛି ମାନସିକ ଚାପ, ନିର୍ଯାତନା, ପାଠର ଚାପ, ଘରୋଇ କଳହ, ପ୍ରେମ ବ୍ୟାପାରରେ ବିଫଳତା, ହୋମସିକନେସ୍ ଏବଂ ଫୋନ୍ ବ୍ୟବହାର ଉପରେ କଟକଣା ଆଦି। ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ଆତ୍ମହତ୍ୟା, ପୁରୀ ବଳଙ୍ଗା ନିଆଁ ଘଟଣା ଏବଂ କିଟ୍ ୟୁନିଭର୍ସିଟିରେ ଦୁଇ ନେପାଳୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଭଳି ଘଟଣା ଏହାର ଉଦାହରଣ।
ଭୁବନେଶ୍ବରରେ ଅଭିଯୋଗ ଶୁଣାଣି ବେଳେ ଜଣେ ବୟବୃଦ୍ଧଙ୍କ ମୁହଁରୁ ଆତ୍ମହତ୍ୟା ଶବ୍ଦ ଶୁଣି ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ। ସମସ୍ୟାର ସମାଧାନ ନହେଲେ ଆତ୍ମହତ୍ୟା କରିବୁ ବୋଲି କହିଥିବା ଅଭିଯୋଗକାରୀଙ୍କୁ ଧୈର୍ଯ୍ୟ ଧରିବାକୁ ତାଗିଦ କରିବା ସହ, ନ୍ୟାୟ ମିଳିବ ବୋଲି ବୁଝାଇଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନରେ ସମସ୍ୟା ଥାଏ, କିନ୍ତୁ ଆତ୍ମହତ୍ୟା କୌଣସି ସମାଧାନ ନୁହେଁ।
ମାନସିକ ରୋଗ ବିଶେଷଜ୍ଞମାନେ କହିଛନ୍ତି, ବିଷାଦ, କ୍ରୋଧ ଓ ପରିପକ୍ବତାର ଅଭାବ ଏହାର ମୂଳ କାରଣ। ଆତ୍ମହତ୍ୟା ତତକ୍ଷଣାତ୍ ନିଷ୍ପତ୍ତି କିମ୍ବା ଯୋଜନାବଦ୍ଧ ହୋଇପାରେ। ପରାମର୍ଶ ଦେଇଛନ୍ତି ଯେ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ମନକଥା ଖୋଲାଖୋଲି ବାଣ୍ଟିବା ଦରକାର। ଅନଲାଇନ୍ ଫ୍ରେଣ୍ଡ୍ ଅପେକ୍ଷା ଫିଜିକାଲ୍ ଫ୍ରେଣ୍ଡ୍ ବଢ଼ାଇବା ଉଚିତ୍। ବିଶେଷଜ୍ଞମାନେ କହିଛନ୍ତି, ଅନ୍ଧାର ପରେ ଆଲୁଅ ଥାଏ, ଜୀବନରେ ଯୁଝିବାର ନାମ ହିଁ ଜୀବନ। ସମାଜରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
