ଫ୍ରିଫାୟାର ଗମେ ପାଇଁ ଚାଲିଗଲା ଆଉ ଏକ ଜୀବନ
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧୀନ ଗୁହାଳିପଦା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅନଲାଇନ୍ ଗେମ୍ରେ ଅତ୍ୟଧିକ ଆସକ୍ତି ଯୋଗୁଁ ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା ଆତ୍ମହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ସନ୍ତୋଷ ପ୍ରତିଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମ୍ ‘ଫ୍ରି ଫାୟାର’ ଖେଳିବାରେ ବ୍ୟସ୍ତ ରହୁଥିଲେ। ପରିବାର ଲୋକେ ତାଙ୍କୁ ବାରମ୍ବାର ଏହି ଗେମ୍ ଖେଳିବାରୁ ବାରଣ କରୁଥିଲେ, କିନ୍ତୁ ସେ ଲୁଚିଛପି ଖେଳ ଜାରି ରଖୁଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ବାରମ୍ବାର ଅଶାନ୍ତି ହେଉଥିଲା। ଗତକାଲି ମଧ୍ୟ ତାଙ୍କ ବାପା-ମା’ ଗେମ୍ ଖେଳିବାକୁ ବାରଣ କରିଥିଲେ।
ଏହି ଘଟଣା ପରେ ସନ୍ତୋଷ ନିଜ ଘରର ବାଥରୁମରେ ଗାମୁଛା ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କର ଝୁଲନ୍ତା ମୃତଦେହ ବାଥରୁମରୁ ଉଦ୍ଧାର କରିଥିଲେ। ଏହି ଖବର ଗ୍ରାମରେ ବ୍ୟାପିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସିଂଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବସ୍ତା ଡାକ୍ତରଖାନାକୁ ପଠାଯାଇଥିଲା ଏବଂ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ଘଟଣା ଅନଲାଇନ୍ ଗେମିଂର ଆସକ୍ତି ଓ ଏହାର ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ପୁଣି ଥରେ ଆଲୋଚନାକୁ ଆଣିଛି। ବିଶେଷଜ୍ଞମାନେ ଅଭିଭାବକମାନଙ୍କୁ ସନ୍ତାନମାନଙ୍କର ଗେମିଂ ଅଭ୍ୟାସ ଉପରେ ନଜର ରଖିବା ଓ ସେମାନଙ୍କ ସହ ଖୋଲା ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।
