ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଲା ପାକିସ୍ତାନ!
ୱାସିଂଟନ: ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଜେନେରାଲ ଅସୀମ ମୁନିର ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଫ୍ଲୋରିଡାରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍)ର ବିଦାୟୀ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେଇ ମୁନିର କହିଛନ୍ତି, “ଆମେ ଏକ ପରମାଣୁ ଶକ୍ତିଧର ରାଷ୍ଟ୍ର।
ଯଦି ଆମେ ଅନୁଭବ କରିବୁ ଯେ ଆମେ ବଡ଼ ବିପଦ ବା ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତେବେ ଆମେ ଅଧା ଦୁନିଆକୁ ଆମ ସହିତ ଧ୍ୱଂସ କରିଦେବୁ।” ଆମେରିକା ମାଟିରୁ କୌଣସି ତୃତୀୟ ଦେଶ ବିରୋଧରେ ଏଭଳି ପରମାଣୁ ଧମକ ପ୍ରଥମ ଥର ପାଇଁ ଦିଆଯାଇଥିବା ବୋଲି କୁହାଯାଉଛି।
ମୁନିର ଆହୁରି କହିଛନ୍ତି ଯେ, ସିନ୍ଧୁ ନଦୀରେ ଜଳ ରୋକିବା ପାଇଁ ଭାରତ ଯଦି ଡ୍ୟାମ୍ ନିର୍ମାଣ କରେ, ତେବେ ପାକିସ୍ତାନ ସେହି ଡ୍ୟାମ୍କୁ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରିଦେବ। ସେ କହିଛନ୍ତି, “ସିନ୍ଧୁ ନଦୀ ଭାରତୀୟଙ୍କ ପାରିବାରିକ ସମ୍ପତ୍ତି ନୁହେଁ। ଆମ ପାଖରେ କ୍ଷେପଣାସ୍ତ୍ରର ଅଭାବ ନାହିଁ। ଆମେ ମାତ୍ର ୧୦ଟି କ୍ଷେପଣାସ୍ତ୍ରରେ ଯେ କୌଣସି ଡ୍ୟାମ୍କୁ ଉଡ଼ାଇ ଦେଇପାରିବୁ।” ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଭାରତର ନିଷ୍ପତ୍ତି ପାକିସ୍ତାନର ୨୫୦ ନିୟୁତ ଲୋକଙ୍କ ଜୀବନକୁ ବିପଦରେ ପକାଇପାରେ ବୋଲି ମୁନିର ଚେତାବନୀ ଦେଇଛନ୍ତି।
ଏହି ପରମାଣୁ ଧମକ ଏକ ଏଭଳି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହା ପୂର୍ବରୁ ଅପରେସନ୍ ସିନ୍ଦୂର ପରେ ମୁନିରଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟାହ୍ନ ଭୋଜନ ପାଇଁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରିଥିଲେ। ଏବେ ପୁନର୍ବାର ଟ୍ରମ୍ପ ମୁନିରଙ୍କୁ ହ୍ୱାଇଟ୍ ହାଉସକୁ ନିମନ୍ତ୍ରଣ କରିଛନ୍ତି, ଯାହା ପାକିସ୍ତାନରେ ମଧ୍ୟ ବିରୋଧର କାରଣ ହୋଇଛି।
