ଜୀବନ ସହ ସଂଘର୍ଷ କରି ଆଗକୁ ବଢିବାର ଅନେକ ଅନୁଭବ ମୋ ପାଖରେ ଅଛି: ମୋହନ ମାଝୀ
ଭୁବନେଶ୍ୱର: ଆଜି ରାକ୍ଷୀପୂର୍ଣ୍ଣିମା ଅବସରରେ ରାଜ୍ୟର ମା-ଭଉଣୀଙ୍କ ପାଇଁ ସ୍ୱତନ୍ତ୍ର ଆଲେଖ୍ୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ସେ ଲେଖିଛନ୍ତି ଯେ ବିଗତ କିଛିଦିନରେ ରାଜ୍ୟରେ କିଛି ଭଉଣୀଙ୍କର ଆତ୍ମଦାହର କରୁଣ ଘଟଣା ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର ଦୋଷୀକୁ ଖୋଜି ଦଣ୍ଡ ଦେବା ପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା ମୋ ସରକାର କରିନାହିଁ। ଗତ ୨୫ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି । ମୋର ପ୍ରିୟ ଓଡ଼ିଶାବାସୀ ବିଗତ ୨୪ ବର୍ଷ ଓ ମୋର ଗୋଟିଏ ବର୍ଷରେ ମହିଳା ସୁରକ୍ଷା ଓ ସମ୍ମାନର ସତ୍ୟତାକୁ ଥରେ ନିଜେ ନିଜ ମନରେ ବିଚାର କରିବାପାଇଁ ଅନୁରୋଧ କରୁଛି । ମୁଁ ତର୍କ କରିବାକୁ ଚାହୁଁନି । ୨୪ ବର୍ଷ ବନାମ ୧ ବର୍ଷର ଘଟଣା କ୍ରମର ପ୍ରମାଣ ଓଡ଼ିଆ ଲୋକଙ୍କ ପାଖରେ ଅଛି । ମୋର ସୁଭଦ୍ରା ସ୍ବରୂପ ଭଉଣୀମାନେ ଭଲଭାବରେ ବୁଝିଛନ୍ତି । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ମୋର ସୁଭଦ୍ରାସ୍ବରୂପା ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଉଛି।
ମୋ ସରକାର ପୀଡ଼ିତାଙ୍କ ପରିବାରକୁ ଖାଲି ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇନି, ବରଂ ସେମାନଙ୍କ ସହ ଏହି ପରିବାରର ସଦସ୍ୟ ଭଳି ଠିଆ ହୋଇଛି। ରାକ୍ଷୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ଭାଇ ଭାବରେ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମେ ଆମେ ବଦ୍ଧପରିକର । ମୁଁ ଜାଣିଛି ମୋତେ ଓ ମୋ ସରକାରକୁ କେଉଁ-କେଉଁ ପ୍ରସଙ୍ଗରେ କେମିତି ସମାଲୋଚନା କରାଯାଉଛି । ଆମେ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ଅଛୁ। ଗଣତନ୍ତ୍ରରେ ସମାଲୋଚନାକୁ ବୁଝିବା, ସମ୍ମାନ ଦେବା ଓ ସମାଧାନର ରାସ୍ତା କାଢ଼ିବାପାଇଁ ମୁଁ ବଦ୍ଧପରିକର। ମାତ୍ର ଗୋଟିଏ କଥା ମୋର ପ୍ରିୟ ଓଡ଼ିଶାବାସୀଙ୍କ ପାଖରେ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି ।
ମୋ ପରିବାରର ରାଜନୀତି ବା ଆର୍ଥିକ ପୃଷ୍ଠଭୂମି କିଛି ନାହିଁ । ସ୍କୁଲ ଶିକ୍ଷକରୁ ସରପଞ୍ଚ, ଚାରିଥର ବିଧାୟକ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ହୋଇଛି। ଜୀବନ ସହ ସଂଘର୍ଷ କରି କରି ପଡି-ଉଠି-ଠିଆ ହୋଇ ଆଗକୁ ବଢିବାର ଅନେକ ଅନୁଭବ ମୋ ପାଖରେ ଅଛି । ଗଠନମୂଳକ ସମାଲୋଚନାକୁ ସ୍ବାଗତ । ମାତ୍ର ଜଣେ ଆଦିବାସୀ ଓ ଗରିବ ପରିବାରର ଲୋକ କେମିତି ମୁଖ୍ୟମନ୍ତ୍ରୀ ହୋଇଯିବ ? ଏହିପରି ସାମନ୍ତବାଦୀ ବିଚାର ରଖୁଥିବା ବ୍ୟବସ୍ଥାର ଲୋକମାନଙ୍କର ଉଦ୍ଦେଶ୍ୟ ପ୍ରଣୋଦିତ ସମାଲୋଚନା ମୋତେ ଆଦୌ ଚିନ୍ତିତ କରେନି। ବରଂ ଦିନରାତି ରାଜ୍ୟର ଗରିବ, ଅତି ଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗ, ଦୁର୍ଗମ ଅଞ୍ଚଳର ବାସିନ୍ଦା, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ତଥା ବିକାଶ ପାହାଚର ସବୁଠୁ ତଳ ପାହାଚରେ ଥିବା ଲୋକମାନଙ୍କ ପାଇଁ ଦିନରାତି ଏକ କରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଉଛି ।
