ମାଧୁରୀ ଆସିଲେ ଓଡ଼ିଶା: ବୁଣା ଶିଳ୍ପର ବଢ଼ିଲା ଗାରିମା

ଭୁବନେଶ୍ୱର: ଜାତୀୟ ହସ୍ତତନ୍ତ ଦିବସ ୨୦୨୫ ଉପଲକ୍ଷେ ରାଜ୍ୟ ସରକାର ଭୁବନେଶ୍ୱରର ଜନତା ମଇଦାନରେ ଏକ ଭବ୍ୟ କାର୍ଯ୍ୟକ୍ରମ ‘ଏକତା’ର ଆୟୋଜନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ବିଶିଷ୍ଟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି, “ଓଡ଼ିଆ ଅସ୍ମିତାକୁ ସଂକଟରୁ ଉଦ୍ଧାର କରି ତାକୁ ପୁନର୍ଜୀବିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ, ଏହା ଆମର ଗର୍ବ ଓ ଗାରିମାର ପ୍ରତୀକ।” ସେ ରାଜ୍ୟବାସୀଙ୍କୁ ସପ୍ତାହରେ ଗୋଟିଏ ଦିନ ଓଡ଼ିଶାର ହ୍ୟାଣ୍ଡଲୁମ ପୋଷାକ ପରିଧାନ କରି ସ୍ୱଦେଶୀ ଭାବନାକୁ ଜାଗ୍ରତ କରିବାକୁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡ଼ିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରିଛନ୍ତି। ଆଗାମୀ ଏକ ବର୍ଷ ପାଇଁ ମାଧୁରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ହ୍ୟାଣ୍ଡଲୁମର ପ୍ରଚାର କରିବେ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୫ରୁ ଜାତୀୟ ହସ୍ତତନ୍ତ ଦିବସ ପାଳନ ଆରମ୍ଭ ହେବା ପରେ ଦେଶରେ ଖଦି ଓ ହସ୍ତତନ୍ତ ସାମଗ୍ରୀର ବିକ୍ରି ୧ ଲକ୍ଷ ୫୦ କୋଟି ଟଙ୍କାରେ ପହଞ୍ଚିଛି। ବିକ୍ରିରେ ୩୧୫% ଏବଂ ଉତ୍ପାଦନରେ ୪୦୦% ବୃଦ୍ଧି ହୋଇଛି। ଏହା ସହିତ ଖଦି ଓ ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ୮୧% ବୃଦ୍ଧି ପାଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ବୁଣାକାର ଏବଂ ଶ୍ରମିକ ନିଯୁକ୍ତ ହୋଇଛନ୍ତି।

ରାଜ୍ୟ ସରକାର ବୁଣାକାରମାନଙ୍କୁ ମାର୍କେଟିଂ ଓ ଇ-କମର୍ସ ସହାୟତା ପ୍ରଦାନ କରୁଛନ୍ତି। ଫ୍ରାନ୍ସ, ଜାପାନ, ଆମେରିକା ଓ ସିଙ୍ଗାପୁରରେ ଓଡ଼ିଶା ହ୍ୟାଣ୍ଡଲୁମର ବ୍ୟାପକ ଚାହିଦା ରହିଛି। ବୁଣାକାରମାନେ ବିଭିନ୍ନ ଅନ୍ତର୍ଜାତୀୟ ଏକ୍ସପୋରେ ଭାଗ ନେଇ ଓଡ଼ିଶାର ହସ୍ତତନ୍ତ ସାମଗ୍ରୀକୁ ପ୍ରଦର୍ଶନ କରୁଛନ୍ତି। ଯୁବପିଢ଼ିଙ୍କୁ ହସ୍ତତନ୍ତ କ୍ଷେତ୍ରରେ ଆକୃଷ୍ଟ କରିବା ପାଇଁ ସରକାର ଫେଲୋସିପ୍ ଓ ଇନ୍ଟର୍ନଶିପ୍ ବ୍ୟବସ୍ଥା ମଧ୍ୟ କରିବେ।ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଓଡ଼ିଶାର ୬ଟି ସ୍ଥାନରେ ଟେକ୍ସଟାଇଲ ପାର୍କ ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *