ପୁଣି ଏକ ଆତ୍ମହତ୍ୟା ଘଟଣା: ମାନସିକ ଚାପ ନା ଅନ୍ୟ କିଛି ?

ପଟ୍ଟାମୁଣ୍ଡାଇ: ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବି.ଏଡ୍‌ ଛାତ୍ରୀ ଏବଂ ପୁରୀ ଜିଲ୍ଲାର ବଳଙ୍ଗା ନାବାଳିକା ଘଟଣା ରାଜ୍ୟବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଭଳି ଆଉ ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରାଜ୍ୟରେ ପୁଣି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଏବଂ ପରିବାର ଲୋକଙ୍କ ବୟାନ ଆଧାରରେ ଯୁବତୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ପୁଲିସ ଚେଷ୍ଟା ଜାରି ରଖିଛି। ଯୁବତୀ ଜଣକ କେଉଁ ପରିସ୍ଥିତିରେ ଏଭଳି ଚରମ ପଦକ୍ଷେପ ନେଇଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସମାଜରେ ମାନସିକ ସ୍ୱାସ୍ଥ୍ୟ ଏବଂ ଯୁବପିଢ଼ିଙ୍କ ଉପରେ ଚାପ ସମ୍ବନ୍ଧୀୟ ଚିନ୍ତାକୁ ଏହା ପୁଣି ଥରେ ଆଲୋଚନାକୁ ଆଣିଛି। ପୁଲିସ ଏହି ମାମଲାରେ ଗଭୀର ତଦନ୍ତ କରୁଛି ଏବଂ ଶୀଘ୍ର ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *