ସିରାଜଙ୍କୁ ବିସିସିଆଇରୁ ମିଳେ କେତେ ଦରମା?
ଲଣ୍ଡନ: ଭାରତୀୟ ଟେଷ୍ଟ୍ ଦଳ ୫ ମ୍ୟାଚ୍ ବିଶିଷ୍ଟ ପ୍ରଥମ ସଂସ୍କରଣ ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ୍ ଶୃଙ୍ଖଳାକୁ ୨-୨ରେ ଶେଷ କରିଛି। ସୋମବାର ଦ ଓଭାଲ୍ରେ ନାଟକୀୟ ଭାବେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍କୁ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ୬ ରନ୍ରେ ଜିତିଯାଇଛି। ଏଥି ସହ ଅଧିକାଂଶ ସମୟରେ ଜିତୁ ଜିତୁ ହାରିଯାଉଥିବା ଭାରତ ଏଥର ହାରୁ ହାରୁ ଜିତିଯାଇଛି। ମହମ୍ମଦ ସିରାଜଙ୍କ ସଙ୍କଳ୍ପବଦ୍ଧ ପ୍ରଦର୍ଶନ ଆଗରେ ଇଂଲଣ୍ଡ ହାର୍ ମାନିବାକୁ ବାଧ୍ୟ ହୋଇଛି। ୨୦୧୮ ମସିହାରେ ଘରୋଇ ମାଟିରେ ୪-୧ ବିଜୟ ପରଠାରୁ ଇଂଲଣ୍ଡ ମଧ୍ୟ ଭାରତ ବିପକ୍ଷରେ ଆଉ କେବେ ଟେଷ୍ଟ୍ ଶୃଙ୍ଖଳା ଜିତିନାହିଁ। ଭାରତୀୟ ଦଳ ୨୦୨୧-୨୨ ଇଂଲଣ୍ଡ ଗସ୍ତରେ ମଧ୍ୟ ୨-୨ରେ ସାରିଥିଲା ଟେଷ୍ଟ୍ ଶୃଙ୍ଖଳା। ତେବେ ଆଜି ଆମେ ଆପଣଙ୍କୁ କହିବୁ ଯେ ସିରାଜ କେତେ ଟଙ୍କା ଆୟ କରନ୍ତି?
ସିରାଜଙ୍କୁ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ୨୦୨୪-୨୫ରେ ଗ୍ରେଡ୍-ଏ ରେ ସାମିଲ କରାଯାଇଥିଲା। ବିସିସିଆଇ ଏହି ବର୍ଗରେ ଅନ୍ତର୍ଭୁକ୍ତ ଖେଳାଳିମାନଙ୍କୁ ବାର୍ଷିକ ୫ କୋଟି ଟଙ୍କା ଦେଇଥାଏ। ଏହା ବ୍ୟତୀତ ସେମାନଙ୍କର ମ୍ୟାଚ୍ ଫିସ୍ ଅଲଗା। ସିରାଜ ଗୋଟିଏ ଟେଷ୍ଟ ପାଇଁ ୧୫ ଲକ୍ଷ ଟଙ୍କା, ଗୋଟିଏ ଦିନିକିଆ ପାଇଁ ୭ ଲକ୍ଷ ଟଙ୍କା, ଗୋଟିଏ ଟି୨୦ ପାଇଁ ୩ ଲକ୍ଷ ଟଙ୍କା ପାଇଥାନ୍ତି |
ସେହିପରି ମହମ୍ମଦ ସିରାଜ ଗତ ସିଜନରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିଥିଲେ, ଏହା ପୂର୍ବରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଥିଲେ। ଏଥର ସେ ଗୁଜୁରାଟ ଟାଇଟନ୍ସ ପାଇଁ ଖେଳି ୧୨ କୋଟି ଟଙ୍କା ଆୟ କରିଥିଲେ |
ସିରାଜ ୨୦୧୭ ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ, ଏହି ଟି-୨୦ ମ୍ୟାଚ୍ ରାଜକୋଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିଲା। ସିରାଜ ଡିସେମ୍ବର ୨୦୨୦ ରେ (ଅଷ୍ଟ୍ରେଲିଆ ବିପକ୍ଷରେ) ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ଜାନୁଆରୀ ୨୦୧୯ ରେ ଦିନିକିଆ ଡେବ୍ୟୁ କରିଥିଲେ। ବିଭିନ୍ନ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ ଦର୍ଶାଯାଇଛି ଯେ ମହମ୍ମଦ ସିରାଜଙ୍କ ମୋଟ ନେଟ୍ ସମ୍ପତ୍ତି ୫୭ କୋଟି ଟଙ୍କା ।
