ପ୍ରଶ୍ନପତ୍ର ଲିକ୍‌ ରୁ ନିଯୁକ୍ତି ବାତିଲ୍‌ ପର୍ଯ୍ୟନ୍ତ: କେବେ ଅଟକିବ ବିଭ୍ରାଟ?

ଭୁବନେଶ୍ୱର: ୨୦୨୫ ର ପ୍ରଥମ ୭ ମାସ, ଅର୍ଥାତ୍ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ନିଯୁକ୍ତି ପରୀକ୍ଷା ସ୍ୱଚ୍ଛ ଭାବେ ହୋଇପାରିନାହିଁ। କେବେ ପ୍ରଶ୍ନପତ୍ରରେ ଭୁଲ୍, ତ କେବେ ପ୍ରଶ୍ନପତ୍ର ଲିକ୍ ହେବାର ଅଭିଯୋଗ ସାମ୍ନାକୁ ଆସୁଛି। ଏକାଦିନରେ ଏକାଧିକ ପରୀକ୍ଷା ଘୋଷଣା କରି ପ୍ରଶାସନ ହଇରାଣ ହେଉଛି। ଏକ ପରୀକ୍ଷା ପରେ ଆଉ ଏକ ପରୀକ୍ଷା ସ୍ଥଗିତ ହେଉଛି, ଯାହା ରାଜ୍ୟ ସରକାରଙ୍କୁ ବଦନାମ କରୁଛି। ତଦନ୍ତ ପରେ କେତେଜଣ ଛୋଟ କର୍ମଚାରୀଙ୍କୁ ଗିରଫ କିମ୍ବା ନିଲମ୍ବନ କରାଯାଉଛି, କିନ୍ତୁ ମୁଖ୍ୟ ଦୋଷୀ ବା ବଡ଼ ଅଧିକାରୀମାନେ ଖସି ଯାଉଛନ୍ତି।

 

କେବଳ ନିଯୁକ୍ତି ପରୀକ୍ଷା ନୁହେଁ, ବିଏଡ୍, ଏମ୍‌ଏଡ୍, ବିଏଚ୍‌ଏଡ୍ ପରି ପ୍ରବେଶିକା ପରୀକ୍ଷାରେ ମଧ୍ୟ ସ୍ୱଚ୍ଛତା ନଥିବା ଅଭିଯୋଗ ଉଠିଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍‌ଏସ୍‌ସି) ଦ୍ୱାରା ଆର୍‌ଆଇ, ଆଇସିଡିଏସ୍‌ ସୁପରଭାଇଜର, ଅମିନ ଆଦି ପଦ ପାଇଁ ହୋଇଥିବା ପ୍ରିଲିମିନାରି ପରୀକ୍ଷାର ଫଳାଫଳ ସ୍ଥଗିତ ହୋଇଛି। ଅଗଷ୍ଟ ୧ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ମୁଖ୍ୟ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। ଏପ୍ରିଲ୍‌ରେ ଓଏସ୍‌ଏସ୍‌ସି ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ହୋଇଥିବା ଅନେକ ପରୀକ୍ଷାରେ ତ୍ରୁଟି ଦେଖାଦେଇଛି। ଉଦାହରଣ ସ୍ୱରୂପ, ଓପିଏସ୍‌ସିର ସିଭିଲ୍‌ ସର୍ଭିସ୍‌ ମେନ୍‌-୨୦୨୩ର ଆନ୍ଥ୍ରୋପୋଲୋଜି ପରୀକ୍ଷାରେ ପ୍ରଶ୍ନପତ୍ରରେ ଭୁଲ୍ ଥିବା ଅଭିଯୋଗ ହୋଇଥିଲା। ସେହିପରି ଓଏସ୍‌ଏସ୍‌ସିର ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାରେ ମଧ୍ୟ ତ୍ରୁଟି ଦେଖାଦେଇଥିଲା।

 

୨୦୨୪ ନଭେମ୍ବରରେ ସରକାର ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ ୨୦୨୪’ ଜାରି କରି ଅନିୟମିତତା ରୋକିବାକୁ ଚେଷ୍ଟା କରିଥିଲେ। ଏହି ଆଇନ ଅନୁସାରେ, ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ଜେଲ୍‌ ଓ ୧୦ ଲକ୍ଷ ଟଙ୍କା ଜୋରିମାନା, ଆଉ ସଂସ୍ଥାଗୁଡ଼ିକୁ ୧ କୋଟି ଟଙ୍କା ଜୋରିମାନା ଦେବାକୁ ହେବ। କିନ୍ତୁ ଏହି ନିୟମ କେତେ ଦୂର କାର୍ଯ୍ୟକାରୀ ହେଉଛି, ତାହା ନେଇ ପ୍ରଶ୍ନ ଉଠୁଛି |

Leave a Reply

Your email address will not be published. Required fields are marked *