ଭାରତର ମହାକାଶ ଅର୍ଥନୀତିରେ ଆସିଛି ନୂଆ ଗତି: ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜନପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ର ୧୨୪ ତମ ସଂସ୍କରଣରେ ଭାରତୀୟ ମହାକାଶ ଯାତ୍ରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କର ଐତିହାସିକ ମହାକାଶ ଯାତ୍ରାର ଉଚ୍ଚ ପ୍ରଶଂସା କରିଥିଲେ।

ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇ ସଫଳତାର ସହ ପୃଥିବୀକୁ ଫେରିଥିବା ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ଭାବେ ଇତିହାସ ରଚିଛନ୍ତି।ତାଙ୍କର ଏହି ଐତିହାସିକ ଯାତ୍ରା ଦେଶବାସୀଙ୍କ ହୃଦୟରେ ଗର୍ବ ଓ ଖୁସିର ଭାବନା ଜାଗ୍ରତ କରିଛି। ଶୁଭ୍ରାଂଶୁଙ୍କୁ ନେଇ ମୋଦୀ କହିଥିଲେ ଯେ, ୨୦୨୩ ଅଗଷ୍ଟରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଦେଶରେ ମହାକାଶ ବିଜ୍ଞାନ ପ୍ରତି ପିଲାମାନଙ୍କ ମଧ୍ୟରେ ନୂଆ ଜିଜ୍ଞାସା ଓ ଉତ୍ସାହ ଜାଗିଛି। ଆଜି ଛୋଟ ଛୋଟ ପିଲାମାନେ ମହାକାଶବିଦ ହେବାକୁ ଓ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସ୍ୱପ୍ନ ଦେଖୁଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ INSPIRE-MANAK ଅଭିଯାନର ଉଲ୍ଲେଖ କରି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ସ୍କୁଲରୁ ୫ ଜଣ ପିଲାଙ୍କୁ ବାଛି ସେମାନଙ୍କ ନୂଆ ଚିନ୍ତାଧାରା ଓ ନବୋନ୍ମେଷକୁ ପ୍ରୋତ୍ସାହନ ଦିଆଯାଉଛି। ଏହି ଅଭିଯାନରେ ଲକ୍ଷ ଲକ୍ଷ ପିଲା ଯୋଗ ଦେଇଛନ୍ତି, ଏବଂ ଚନ୍ଦ୍ରଯାନ-୩ର ସଫଳତା ପରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏହା ସହିତ, ମହାକାଶ କ୍ଷେତ୍ରରେ ଷ୍ଟାର୍ଟ-ଆପ୍‌ଗୁଡ଼ିକର ସଂଖ୍ୟା ୫୦ରୁ ବୃଦ୍ଧି ପାଇ ୨୦୦ରୁ ଅଧିକ ହୋଇଛି, ଯାହା ଦେଶର ମହାକାଶ ଅର୍ଥନୀତିରେ ଏକ ନୂଆ ଗତି ଆଣିଛି।

 

ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ ନମୋ ଆପ୍‌ରେ ନୂଆ ଆଇଡିଆ ସହିତ ଏହି ଦିବସ ପାଳନ କରିବାକୁ ଲୋକଙ୍କୁ ମେସେଜ ପଠାଇବାକୁ ଅନୁରୋଧ କରିଛନ୍ତି। ଶୁଭାଂଶୁ ଶୁକ୍ଳାଙ୍କ ଏହି ସଫଳତା ରାଜ୍ୟର ଯୁବକମାନଙ୍କୁ ବିଜ୍ଞାନ ଓ ମହାକାଶ ଗବେଷଣା ଆଡ଼କୁ ଆକୃଷ୍ଟ କରିବ।

Leave a Reply

Your email address will not be published. Required fields are marked *