ଧମକଚମକ ଦେଇ ନିଜ ନାଁରେ ୧୮ ଏକର ଜମି କରିଦେଲେ ପୁଅ ଓ ନାତି
ଜୟପୁର: ଆଶା କରିଥିଲେ ୩ ପୁଅଙ୍କ ପାଖରେ ଶେଷ ସମୟ କାଟିଦେବେ | ହେଲେ ୩ ପୁଅଙ୍କ ନଜରରେ ଥିବା ବାପାଙ୍କ ସମ୍ପତ୍ତି | ବାପାଙ୍କ ସମ୍ପତ୍ତିକୁ ନିଜ ନାମରେ କରିଦେବା ପରେ ଏବେ ସେମାନଙ୍କୁ ଘରୁ ବାହାର କରିଦେଇଛନ୍ତି | ରାସ୍ତାକଡ ହେଉକି ଗଛ ମୂଳ ଏବେ ବୃଦ୍ଧ ଦମ୍ପତିଙ୍କ ଜୀବନ କଟୁଛି | କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ର କେରାପୁଟ ଗାଁରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି | ଯେଉଁଠାରେ ୭୦ ବର୍ଷର ବୃଦ୍ଧ ଦମ୍ପତି ମାଧବ ଦିଶାରୀ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଦିଶାରୀ ନିଜ ଅନ୍ତିମ ଜୀବନ ପର୍ଯ୍ୟାୟରେ ଘରହୀନ ଓ ଅସହାୟ ହୋଇପଡ଼ିଛନ୍ତି।
୧୮ ଏକର ଜମିର ମାଲିକ ଥିବା ସତ୍ତେ ଏହି ବୃଦ୍ଧ ଦମ୍ପତି ବର୍ତ୍ତମାନ ଘର ଓ ଚାଷ ଜମି ବିନା ଏକ ଅନିଶ୍ଚିତ ଜୀବନ ବିତାଉଛନ୍ତି। ତିନି ପୁଅ ଓ ଦୁଇ ଝିଅ ଥିବା ଏହି ଦମ୍ପତି ପୂର୍ବରୁ ସୁଖଦ ଜୀବନଯାପନ କରୁଥିଲେ। କିନ୍ତୁ ବାର୍ଦ୍ଧକ୍ୟ ପରେ ଦ୍ୱିତୀୟ ପୁଅ ଦୈତାରୀ ଓ ନାତି ସାଗରଙ୍କ ଲୋଭ ତାଙ୍କ ଜୀବନକୁ ନର୍କ କରିଦେଇଥିଲା ।
ଦୈତାରୀ ଓ ସାଗର ମଦ୍ୟପାନ କରି ବିବାଦ ଆରମ୍ଭ କଲେ ଓ ଧୀରେ ଧୀରେ ସମସ୍ତ ଜମି ନିଜ ନାମକୁ ନେଇଗଲେ। ବର୍ଷକ ତଳେ ପୁଅ ଓ ନାତି ମାଧବ ଓ ଲକ୍ଷ୍ମୀଙ୍କୁ ଘରୁ ବାହାର କରିଦେଲେ | ପରେ ସେମାନେ ବୈପାରିଗୁଡ଼ା ଥାନା, ତହସିଲ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ପାଖରେ ନ୍ୟାୟ ପାଇଁ ଗୁହାରି କଲେ। ପୁଲିସ ମଧ୍ୟସ୍ଥ ହୋଇ ତାହାର ସମାଧାନ ଦେଇଥିଲେ, କିନ୍ତୁ ପୁନଶ୍ଚ ଏହି ସମସ୍ୟା ସୃଷ୍ଟି ହେଲା | ବର୍ତ୍ତମାନ ଏହି ବୃଦ୍ଧ ଦମ୍ପତି ବିବାହିତ ଝିଅର ଘରେ କିଛି ଦିନ ଓ ବାହାରେ ରହି ଜୀବନ ବିତାଉଛନ୍ତି।
