ପାଠ ପଢେଇବା ଛାଡି ପ୍ରଶ୍ନପତ୍ର ଲୁଟୁଥିଲେ ଶିକ୍ଷକ, ଧରିଲା କ୍ରାଇମବ୍ରାଞ୍ଚ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆୟୋଜିତ ଓଟିଇଟି-୨୦୨୫ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍‌ରୁ ପ୍ରଶ୍ନପତ୍ର ଚୋରି ହୋଇ ସାମାଜିକ ମାଧ୍ୟମରେ ଭାଇରାଲ୍‌ ହୋଇଥିବା ଘଟଣା ଉଜାଗର ହେବା ପରେ, ବୋର୍ଡ ପରୀକ୍ଷା ବାତିଲ୍ କରିଦେଇଥିଲା।

ଘଟଣା ସନ୍ଦର୍ଭରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ପ୍ରକାଶ ପାଇଛି ଯେ, ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ଭାବରେ ଚିହ୍ନଟ ହୋଇଛନ୍ତି। ସେ ଲାପଟପ ଖୋଲି ପ୍ରଶ୍ନପତ୍ରକୁ ପେନ୍‌ଡ୍ରାଇଭ୍‌ ମାଧ୍ୟମରେ ଚୋରି କରି ଅନ୍ୟ ଲୋକଙ୍କୁ ବିକ୍ରି କରିଥିଲେ। ବିକ୍ରି ମୂଲ୍ୟ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଥିଲା।

ତଦନ୍ତରେ ବିଭିନ୍ନ ଜିଲ୍ଲାରୁ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ଶିକ୍ଷକ ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବାଲେଶ୍ବରର ଜିତନ ମହାରଣା, ରାୟଗଡ଼ାର ବିଜୟ କୁମାର ମିଶ୍ର, କୋରାପୁଟର ସନାତନ ବିଷୋୟୀ, କଟକର ରାମଜୀ ପ୍ରସାଦ ଗୁପ୍ତା, ଗଞ୍ଜାମର ଅଜୟ ସାହୁ ଓ ବାଲେଶ୍ବରର ଜୟନ୍ତ କୁମାର ରାଉତ।

ଜିତନ ମହାରଣା ପ୍ରଶ୍ନପତ୍ର ଚୋରି କରି ରାଜ୍ୟର ବିଭିନ୍ନ ଶିକ୍ଷକ ଓ ଦଲାଲମାନେ ମାଧ୍ୟମରେ ବିକ୍ରି କରିଥିଲେ। ବୋର୍ଡର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର ବୁଲ୍‌ବୁଲ୍‌ ବେହେରା ଦ୍ୱାରା କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ ଦାଖଲ କରାଯିବା ପରେ ଡିଆଇଜି ବାତୁଳା ଗଙ୍ଗାଧର ନେତୃତ୍ୱରେ ଏକ ବିଶେଷ ଟିମ୍ ତଦନ୍ତ ଆରମ୍ଭ କରିଥିଲା।

ମିଳିଥିବା ସୂଚନା ମୁତାବକ, ଜିତନଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫୋନ୍‌ପେ ମାଧ୍ୟମରେ ଲୋକେ ପ୍ରଶ୍ନପତ୍ର ପାଇଁ ୨.୫ ଲକ୍ଷ ଟଙ୍କା ପଠାଇଥିଲେ। ଏବେ କ୍ରାଇମ୍‌ବ୍ରାଞ୍ଚ ଏହି ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲେନଦେନ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *