ଋଷ ସହ କାହିଁକି ରଖିଲ ସମ୍ପର୍କ: ଭାରତ ଉପରେ ଟ୍ରମ୍ପ ଲଦିଲେ ଟିକସ ବୋଝ
ୱାସିଂଟନ: ଯାହା ଅନୁମାନ କରାଯାଉଥିଲା ସେୟା ହେଲା | ମିଠା ମିଠା କଥା କହି ମୋଦୀଙ୍କୁ ପରମ ମିତ୍ର କହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ୨୫ ପ୍ରତିଶତ ଶୁଳ୍କ (ଟାରିଫ୍) ଲଗାଇଛନ୍ତି। ଆସନ୍ତା ଅଗଷ୍ଟ ୧ରୁ ତାହା ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ରୁଷ୍ ସହ ସମ୍ପର୍କ ରଖିଥିବାରୁ ଭାରତକୁ ଅତିରିକ୍ତ ଜରିମାନା ଦଣ୍ଡ ମଧ୍ୟ ଦିଆଯାଇଛି। ଟ୍ରମ୍ପଙ୍କ ଏହି ପଦକ୍ଷେପ ଫଳରେ ଆମେରିକାକୁ ଭାରତର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନିଜ ସୋସିଆଲ୍ ମିଡିଆ ସଂସ୍ଥା ‘ଟ୍ରୁଥ୍ ସୋସିଆଲ୍’ରେ ଟ୍ରମ୍ପ ଭାରତର ବାଣିଜ୍ୟ ଓ ବୈଦେଶିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷ କରି ରୁଷ୍ ସହ ଭାରତର ସମ୍ପର୍କକୁ ସେ ନିନ୍ଦା କରିଛନ୍ତି। ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍କୁ କୋଣଠେସା କରିବା ଲାଗି ସାରା ବିଶ୍ବ କରୁଥିବା ଉଦ୍ୟମ ବିରୋଧରେ ଭାରତ କାମ କରୁଛି। ତେଣୁ ଏହାକୁ ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଟ୍ରମ୍ପ ରୋକ୍ଠୋକ୍ ଶୁଣାଇଛନ୍ତି। ଭାରତ ଏକ ବନ୍ଧୁ ହୋଇଥିଲେ ମଧ୍ୟ ଚଢ଼ା ଶୁଳ୍କ କାରଣରୁ ଏହା ସହ ଆମେରିକାର ବ୍ୟବସାୟ କମ୍ ରହିଛି। ଅନ୍ୟତମ ସର୍ବୋଚ୍ଚ ଶୁଳ୍କ ଲଗାଇଥିବା ଦେଶ କହି ସେ ଭାରତକୁ ସମାଲୋଚନା କରିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୨ରେ ‘ମୁକ୍ତି ଦିବସ’ ଅଧୀନରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇଥିଲେ। ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଯାଇଥିଲା। ଗତ ଏପ୍ରିଲ୍ ୯ରୁ ତାହା ଲାଗୁ କରିବାକୁ ଟ୍ରମ୍ପ ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଥିଲା। ଆମେରିକା ସହ ବାଣିଜ୍ୟ ରାଜିନାମା କରିବା ଲାଗି ସେ ବିଭିନ୍ନ ଦେଶକୁ ୯୦ ଦିନ ସମୟ ଦେଇଥିଲେ। ଶୀଘ୍ର ବାଣିଜ୍ୟ ରାଜିନାମା କରିବା ଲାଗି ଯେଉଁ ପାଞ୍ଚଟି ଦେଶ ଉଦ୍ୟମ ଆରମ୍ଭ କରିଥିଲେ, ସେଥିରେ ଭାରତ ଥିଲା। ଏନେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମୋଦୀଙ୍କ ବନ୍ଧୁତାର ମୂଲ୍ୟ ଦେଶକୁ ଦେବାକୁ ପଡ଼ୁଛି। ସେ ଟ୍ରମ୍ପଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ଓ ତାଙ୍କୁ କୁଣ୍ଢାଇ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ। କିନ୍ତୁ ଫଳ କ’ଣ ହେଲା, ଟ୍ରମ୍ପ ଭାରତ ଉପରେ ଟିକସ ଲଗାଇଲେ। ଭାରତର ବୈଦେଶିକ ନୀତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ କହିଛି।
