କିଏ କାହାକୁ ଫସେଇଲା? ପରସ୍ପର ଉପରେ ଦୋଷ ଲଦିଲେ ଅମରେଶ-ଅର୍ଚ୍ଚନା
ଭୁବନେଶ୍ବର: ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଭୃଣହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମର କର୍ପୋରେଟର ଅମରେଶ ଜେନା, ଓରଫ ବାଇଁଆ ଗିରଫ ହୋଇଛନ୍ତି। ଲକ୍ଷ୍ମୀସାଗର ଥାନା ପୁଲିସ ତାଙ୍କୁ ବାଲେଶ୍ବର ଜିଲ୍ଲାର ନୀଳଗିରି ବରହମପୁର ଅଞ୍ଚଳରୁ ଗିରଫ କରିଥିଲା।
ତେବେ ଗିରଫ ପରେ ଅମରେଶ ଜେନା, ଅର୍ଚ୍ଚନା ନାଗଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। କୋର୍ଟକୁ ଯିବା ସମୟରେ ଅମରେଶ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଅଭିଯୋଗକାରୀ ଯୁବତୀଙ୍କୁ ଜାଣିନାହାନ୍ତି କିମ୍ବା ଚିହ୍ନିନାହାନ୍ତି, ଏବଂ ଅର୍ଚ୍ଚନା ନାଗ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚି ତାଙ୍କୁ ଫସାଇଛନ୍ତି। ଏହି ଘଟଣା ସମ୍ପର୍କରେ ଅର୍ଚ୍ଚନାଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏହି ଘଟଣା ବିଷୟରେ କିଛି ଜାଣିନାହାନ୍ତି ଏବଂ ପୀଡ଼ିତାଙ୍କୁ ବି ଚିହ୍ନିନାହାନ୍ତି। ସେ ଦାବି କରିଛନ୍ତି ଯେ ଘଟଣାର ସତ୍ୟାସତ୍ୟ ଅମରେଶ ଏବଂ ପୀଡ଼ିତା ଜାଣିଥିବେ ଏବଂ ଅର୍ଚ୍ଚନା ଆହୁରି କହିଛନ୍ତି, ବାଇଁଆଙ୍କ କୁକର୍ମ ଓଡ଼ିଶାବାସୀଙ୍କ ସାମ୍ନାରେ ପ୍ରକାଶ ପାଇଛି। ମୋ ଘଟଣା ପଛରେ ସେ ମାଷ୍ଟରମାଇଣ୍ଡ ଥିଲେ ବୋଲି ପ୍ରମାଣିତ କରିଦେଇଛନ୍ତି। ପୂର୍ବରୁ ସେ ମୋତେ ଜାଣିନାହାନ୍ତି ବୋଲି କହୁଥିଲେ, କିନ୍ତୁ ଆଜି ମୋତେ ଚିହ୍ନିପାରିଛନ୍ତି। ସେ ନିଜ କର୍ମର ଫଳ ଭୋଗୁଛନ୍ତି, ତେଣୁ ସୁଧୁରି ଯାଆନ୍ତୁ ଓ ଅପନିନ୍ଦା ଦେବା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି
