ଜରିରେ ଗୁଡ଼ାଯାଇଥିବା ଅବସ୍ଥାରେ ମାଟି ତଳୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା, କାହାର ଟଙ୍କା ଜାଣିଛନ୍ତି କି?

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଅବସ୍ଥିତ ସରଣ୍ଡା ଜଙ୍ଗଲର କରାଇକେଲା ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ଜାଗୁଆର ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ଚାଇବାସା ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍‌ କରି ମାଓବାଦୀମାନଙ୍କ ଦ୍ୱାରା ମାଟି ତଳେ ଲୁଚାଇ ରଖାଯାଇଥିବା ପ୍ରାୟ ୩୫ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ଟଙ୍କା ମାଓବାଦୀମାନେ ଲ୍ୟାଣ୍ଡମାଇନ୍‌, ବିସ୍ଫୋରକ, ବନ୍ଧୁକ ଏବଂ ଗୁଳି ଭଳି ମାରଣାସ୍ତ୍ର କିଣିବା ପାଇଁ ସାଇତି ରଖିଥିବା ଜଣାପଡ଼ିଛି।
ରାଞ୍ଚି ରେଞ୍ଜ ଆଇଜି ମନୋଜ କୌଶିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀମାନେ ଏହି ଟଙ୍କାକୁ କାଗଜ ଓ ପ୍ଲାଷ୍ଟିକ୍‌ରେ ଗୁଡ଼ାଇ ଷ୍ଟିଲ୍‌ ଟିଫିନ୍‌ ବକ୍ସରେ ରଖି ମାଟି ତଳେ ପୋତି ଦେଇଥିଲେ। ଗୁଇନ୍ଦା ସୂଚନା ଆଧାରରେ ସକାଳୁ ସର୍ଚ୍‌ ଅପରେସନ୍‌ ଆରମ୍ଭ ହୋଇଥିଲା। ପ୍ରଥମେ ସିଆର୍‌ପିଏଫ୍‌ ଯବାନମାନେ ମାଟି ତଳେ ପୋତାଯାଇଥିବା ଷ୍ଟିଲ୍‌ ଟିଫିନ୍‌ ବକ୍ସକୁ ବୋମା ସନ୍ଦେହ କରିଥିଲେ। କିନ୍ତୁ ଯାଞ୍ଚ ପରେ ସେଥିରେ ଟଙ୍କାବିଡ଼ା ଭର୍ତ୍ତି ଥିବା ଜଣାପଡ଼ିଥିଲା।
ସୂଚନା ଅନୁସାରେ, ସରଣ୍ଡା ଜଙ୍ଗଲରେ ଟପ୍‌ ମାଓନେତା ମିସ୍‌ରି ବେଶ୍ରା ଓ ତାଙ୍କ ସହଯୋଗୀମାନେ ଶିଳ୍ପପତି, ବ୍ୟବସାୟୀ ଏବଂ ଠିକାଦାରମାନଙ୍କୁ ଧମକ ଦେଇ ଲେଭି ଆଦାୟ କରୁଛନ୍ତି। ଏହି ଟଙ୍କା ସଙ୍ଗଠନକୁ ସୁଦୃଢ଼ କରିବା ସହ ଅତ୍ୟାଧୁନିକ ମାରଣାସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ କିଣିବାରେ ବ୍ୟବହାର ହେଉଥିଲା।
ଏହି ଜବତ ଅଭିଯାନ ମାଓବାଦୀ ସଙ୍ଗଠନର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିବାରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ସୁରକ୍ଷାବାହିନୀ ଏହି ଅଞ୍ଚଳରେ ଅଧିକ ସତର୍କତା ଓ ସର୍ଚ୍‌ ଅପରେସନ୍‌ ଜାରି ରଖିଛି ବୋଲି ରାଞ୍ଚି ଆଇଜି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *