ନକଲି ମହିଳା ସାଜି ସରକାରଙ୍କୁ ଠକିଲେ ୧୪ ହଜାର ପୁରୁଷ

ମହାରାଷ୍ଟ୍ର: କୋଟି କୋଟି ଟଙ୍କା ଠକାମିର ଶିକାର ହେଲେ ସରକାର | ୧୪,୦୦୦ ପୁରୁଷ ନେଇଗଲେ ସରକାରୀ ଅର୍ଥ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ମହାରାଷ୍ଟ୍ରର ‘ଲଡ଼କୀ ବହିନ ଯୋଜନା’ରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଏହି ଯୋଜନାରେ ୧୪,୨୯୮ ଜଣ ପୁରୁଷ ନିଜକୁ ମହିଳା ଦର୍ଶାଇ ଲାଭ ଉଠାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଏହି ‘ଲଡ଼କୀ ବହିନ ଯୋଜନା’ର ଲକ୍ଷ୍ୟ ଥିଲା ଆର୍ଥିକ ଦୁର୍ବଳ ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା। କିନ୍ତୁ ଏକ ଠକାମୀ ସାମ୍ନାକୁ ଆସିବା ପରେ ଏହା ଏବେ ଚର୍ଚ୍ଚାରେ ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ, ୧୪,୨୯୮ ଜଣ ପୁରୁଷ ଜାଲ କାଗଜପତ୍ର ଜରିଆରେ ଏହି ଯୋଜନାରେ ନାମ ଲେଖାଇ ଲାଭ ଉଠାଇଛନ୍ତି, ଯାହା ଫଳରେ ସରକାରଙ୍କୁ ପ୍ରାୟ ୨୧.୪୪ କୋଟି ଟଙ୍କାର କ୍ଷତି ହୋଇଛି।

ଯୋଜନାର ଅଡ଼ିଟ୍‌ ସମୟରେ ଜଣାପଡ଼ିଛି ଯେ, ଅନେକ ପୁରୁଷ ଜାଲ ଆଧାର କାର୍ଡ ଜରିଆରେ ନିଜକୁ ମହିଳା ଦର୍ଶାଇ ଯୋଜନାରେ ସାମିଲ ହୋଇ ପ୍ରତି ମାସରେ ଆର୍ଥିକ ଲାଭ ଉଠାଇଛନ୍ତି। ଏହି ଜାଲିଆତି ସାମ୍ନାକୁ ଆସିଲା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଆବେଦନ ଯାଞ୍ଚ ପ୍ରକ୍ରିୟା କାହିଁକି ଏତେ ଦୁର୍ବଳ ଥିଲା ଓ ସମ୍ପୂର୍ଣ୍ଣ ସିଷ୍ଟମ ମନିଟରିଂରେ କାହିଁକି ବିଫଳ ହେଲା?

ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନେ ପୁରୁଷ ଜାଲି ଉପାୟରେ ଲାଭ ଉଠାଇଛନ୍ତି, ସେମାନଙ୍କଠାରୁ ଟଙ୍କା ଆଦାୟ କରାଯିବ ଏବଂ ଯଦି ସେମାନେ ସହଯୋଗ ନ କରନ୍ତି, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ।

ଏହା ସହିତ, କିଛି ସରକାରୀ ଚାକିରିରେ ଥିବା ମହିଳା, ଯେଉଁମାନେ ଯୋଜନାର ସର୍ତ୍ତ ଅନୁଯାୟୀ ପାତ୍ର ନଥିଲେ, ସେମାନଙ୍କ ନାଁ ମଧ୍ୟ ଲାଭାର୍ଥୀ ତାଲିକାରୁ ହଟାଇ ଦିଆଯାଇଛି। ମହାରାଷ୍ଟ୍ରରେ ଏହା ପୂର୍ବରୁ ସାନିଟାରୀ ନ୍ୟାପକିନ ସବସିଡି ଓ ଶିବ ଭୋଜନ ଥାଳି ଭଳି ଯୋଜନାରେ ମଧ୍ୟ ଅଯୋଗ୍ୟ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଣର ଘଟଣା ସାମ୍ନାକୁ ଆସିଥିଲା

Leave a Reply

Your email address will not be published. Required fields are marked *