ବ୍ୟାଙ୍କ ର ସାଧାରଣ ସେବା ବି ହେବ ବୋଝ — ଏସଏମଏସ୍ ଆଲର୍ଟ, ପାସବୁକ୍ ଓ ଚେକ୍ ପାଇଁ ଶୁଳ୍କ ଲାଗୁ
ଭୁବନେଶ୍ୱର : ଏବେ ବିଭିନ୍ନ ବଡ଼ ବ୍ୟାଙ୍କ ଗୁଡିକ ସାଧାରଣ ଗ୍ରାହକ ସେବା ପାଇଁ ମଧ୍ୟ ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି। ଯେପରି ଏସଏମଏସ୍ ଆଲର୍ଟ, ଡୁପ୍ଲିକେଟ୍ ପାସବୁକ୍, ଚେକ୍ ପେମେଣ୍ଟ ବନ୍ଦ କରିବା, ଡେବିଟ୍ କାର୍ଡ ରକ୍ଷଣାବେକ୍ଷଣ ଏବଂ ମୋବାଇଲ୍ ନମ୍ବର ପରିବର୍ତ୍ତନ ପରି ସେବାଗୁଡିକରୁ ବ୍ୟାଙ୍କ ଆଦାୟ କରୁଛି ଶୁକ୍ଳ |
ଏସଏମଏସ୍ ଆଲର୍ଟ ପାଇଁ ମାସିକ ୧୦ ରୁ ୩୫ ଟଙ୍କା, ଡୁପ୍ଲିକେଟ୍ ପାସବୁକ୍ ପାଇଁ ପ୍ରତି ପୃଷ୍ଠା ୫୦ ଟଙ୍କା ଓ ଡେବିଟ୍ କାର୍ଡ ରକ୍ଷା ପାଇଁ ବାର୍ଷିକ ୨୫୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେଉଛି।
ଏହି ବ୍ୟତୀତ, ଏଟିଏମରୁ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କରି ନଗଦ ଉଠାଣ କଲେ ମଧ୍ୟ ପ୍ରତି କାରବାର ପାଇଁ ଅତିରିକ୍ତ ଶୁଳ୍କ ଲାଗିଛି। ଆଇଏମପିଏସ୍ କାରବାର ଉପରେ ମଧ୍ୟ ନୂତନ ଶୁଳ୍କ ଲାଗୁ କରାଯାଇଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଶୁଳ୍କ ନାହିଁ, କିନ୍ତୁ ଏହା ଉପରେ ୨ ରୁ ୫ ଟଙ୍କା ସହିତ ଜିଏସଟି ଅଲଗା ହୋଇ ଲାଗୁଛି।
ଏହା ସହିତ, ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାରେ ବିଫଳ ହେଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ୁଛି। ଚେକ୍ ପେମେଣ୍ଟ ବନ୍ଦ କରିବା ପାଇଁ ୨୦୦ ରୁ ୫୦୦ ଟଙ୍କା, ଡୁପ୍ଲିକେଟ୍ ଚେକ୍ ପାଇଁ ୧୫୦ ଟଙ୍କା, ଦସ୍ତଖତ କିମ୍ବା ନାମ ପରିବର୍ତ୍ତନ ପାଇଁ ୧୦୦ ରୁ ୧୫୦ ଟଙ୍କା ଏବଂ ମୋବାଇଲ୍ ନମ୍ବର ବଦଳାଇବା ପାଇଁ ୨୫ ରୁ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଉଛି।
ଆଉ ଅବସରରେ ଆକାଉଣ୍ଟ ବନ୍ଦ କରିବା ପାଇଁ ଗ୍ରାହକଙ୍କୁ ୨୫୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ୁଛି। ଏହି ପରିସ୍ଥିତିରେ ଗ୍ରାହକମାନେ ବ୍ୟାଙ୍କ ନୀତି ବିଷୟରେ ସଚେତନ ରହିବା ଆବଶ୍ୟକ।
