୭୮ତମ ପ୍ରତିଷ୍ଠା ଦିବସରେ ଓଡ଼ିଶା ହାଇକୋର୍ଟ: ଖାଲି ପଦବି ଓ ବଢ଼ୁଥିବା ମାମଲା ସଂଖ୍ୟା ହେଲା ଚିନ୍ତାର କାରଣ
କଟକ: ଆଜି ହେଉଛି ଓଡ଼ିଶା ହାଇକୋର୍ଟର ୭୮ତମ ପ୍ରତିଷ୍ଠା ଦିବସ। ଗୋଟିଏ ପଟେ ହାଇକୋର୍ଟ ର ପ୍ରତିଷ୍ଠା ଦିବସ କୁ ନେଇ ସମସ୍ତଙ୍କ ଭିତରେ ଯେତିକି ଖୁସି ରହିଛି ଅନ୍ୟପଟେ ହାଇକୋର୍ଟର ବିଚାରପତି ପଦବି ଖାଲି ପଡିବା ଓ ମାମଲା ସଂଖ୍ୟା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।ଦିନକୁ ଦିନ ମାମଲା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି।
୧୯୪୮ ମସିହା ଜୁଲାଇ ୨୬ ଅର୍ଥାତ୍ ଠିକ୍ ଆଜିର ଦିନଟି ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଥିଲା ଏକ ସ୍ମରଣୀୟ ଦିନ। କାରଣ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶାର ହାଇକୋର୍ଟ। ଆଜି ହାଇକୋର୍ଟ ର ୭୮ ତମ ପ୍ରତିଷ୍ଠା ଦିବସ।୧୯୩୬ ଏପ୍ରିଲ ୧ ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଶାରେ ହାଇକୋର୍ଟ ହୋଇ ପାରିନଥିଲା ।୧୨ ବର୍ଷ ପରେ ଓଡ଼ିଶାରେ ପ୍ରତିଷ୍ଠା ହୋଇଥିଲା ହାଇକୋର୍ଟ। ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ବଢ଼ୁଥିବା ମାମଲା ବୋଝ ଏବେବି ହାଇକୋର୍ଟ ପାଇଁ ଏକ ପ୍ରମୁଖ ଆହ୍ବାନ ହୋଇଛି।ଗୋଟିଏପଟେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧ ବୃଦ୍ଧି ପାଉଥିବା ବେଳେ ମାମଲା ଫଏସଲା ହାର କିନ୍ତୁ ହ୍ରାସ ପାଇଛି। ସେହିପରି ୩୩ ବିଚାରପତି ପଦରୁ ୧୩ ଟି ପଦ ବର୍ତ୍ତମାନ ଖାଲି ପଡ଼ିଛି ବେଳେ ୧.୫୨ଲକ୍ଷ ମାମଲା ବିଚାରାଧୀନ ରହିଛି।
ଗତ ୨୦୨୫ ଜାନୁଆରିରେ ୧ ଲକ୍ଷ ୪୬ ହଜାର ୩୭୩ ମାମଲା ବିଚାରାଧୀନ ଥିଲା ବେଳେ ଜୁଲାଇ ୨୩ ସୁଦ୍ଧା ୧ଲକ୍ଷ ୫୨ହଜାର ମାମଲା ବିଚାରାଧୀନ ରହିଛି। ୨୦୨୩ ଓ ୨୦୨୪ର ପ୍ରଥମ ୬ ମାସ ଜାନୁଆରିରୁ ଜୁନ୍ ତୁଳନାରେ ୨୦୨୫ର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମାମଲା ଫଏସଲା ହାର ଅହେତୁକ ହ୍ରାସ ପାଇଛି।ଅନ୍ୟପଟରେ, ବିଗତ ଦୁଇବର୍ଷ ତୁଳନାରେ ହାଇକୋର୍ଟ ର କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ମଧ୍ୟ କମିଥିବା ଜଣାପଡ଼ିଛି।ହାଇକୋର୍ଟରେ ମୋଟ ୩୩ଟି ମଞ୍ଜୁରିପ୍ରାପ୍ତ ବିଚାରପତି ପଦବି ଥିବା ବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୨୦ଜଣ ବିଚାରପତି ରହିଛନ୍ତି। ୧୩ଟି ବିଚାରପତି ପଦ ପୂରଣ ହୋଇପାରିନାହିଁ । ଯାହା ହାଇକୋର୍ଟ ପାଇଁ ଏକ ଚାଲେଞ୍ଜ ହୋଇ ଉଭା ହୋଇଛି।୨୦୨୩ ଜାନୁଆରିରେ ଯେଉଁଠି ହାଇକୋର୍ଟରେ ମୋଟ ୨୨ଜଣ ବିଚାରପତି କାର୍ଯ୍ୟରତ ଥିଲେ, ଏବେ ତାହା କମି କରି ୨୦ରେ ପହଞ୍ଚିଛି|
