ଅବସର ପରେ ବି କନ୍ଦାଇଦେଉଛି ବ୍ୟବସ୍ଥା, ଅଲୋଡ଼ା ହୋଇ ପଡିରହିଛନ୍ତି ୩୪ କର୍ମଚାରୀ

ଭୁବନେଶ୍ୱର: ‘କେତେ ବା ଦିନ ବଞ୍ଚିବୁ, ସରକାରଙ୍କୁ ଗୁହାରି ଜଣାଇ ଜଣାଇ ବି ଥକିଗଲୁଣି | ବିଭାଗୀୟ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କେତେ ବା ଦୁଃଖଯନ୍ତ୍ରଣା ଜଣାଇବୁ | କିଛି ଏମିତି କହିଥିଲେ ୬୨ ବର୍ଷୀୟ ମଞ୍ଜୁଲତା ପ୍ରଧାନ | ମଞ୍ଜୁଲତା ହେଉଛନ୍ତି ଓରସାକ(ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର)ର ଜଣେ ପୂର୍ବତନ କର୍ମଚାରୀ | ମଞ୍ଜୁଲତାଙ୍କ ଭଳି ଏଭଳି ସମାନ କଷ୍ଟ ଦେଇ ଗତି କରୁଛନ୍ତି ପ୍ରାୟ ୩୪ ଜଣ କର୍ମଚାରୀ | ବାସ୍ତବରେ ସରକାରଙ୍କ ଏଭଳି ଏକ ବ୍ୟବସ୍ଥାର ଜାଲରେ ସେମାନେ ଛନ୍ଦିହୋଇଯାଇଛନ୍ତି ଯେ ବାରମ୍ବାର ଅଧିକାରୀଙ୍କୁ ନେହୁରା କରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ | ଆଉ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ସମସ୍ୟା ବଖାଣିଥିଲେ ମଞ୍ଜୁଲତାଙ୍କ ସହ ଅନ୍ୟ ପୂର୍ବତନ କର୍ମଚାରୀ | ସେମାନଙ୍କ କହିବା କଥା ଯେ ଓଡିଶା ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଅବସର ପ୍ରାପ୍ତି ଲାଭ ଯୋଜନା ବା ଆରବିଏସରେ ସେମାନଙ୍କୁ ସାମିଲ କରାଯାଇନାହିଁ | ଯେଉଁ କର୍ମଚାରୀମାନେ ପେନ୍ସନ ଯୋଜନାରୁ ବଂଚିତ ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ଦିଗରେ ଆରବିଏସ କାର୍ଯ୍ୟ କରିଥାଏ | କିନ୍ତୁ ଓରସାକର ୩୪ ଜଣ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇନାହିଁ |

୨୦୧୭ ମସିହାରେ ଓରସାକ ନିଜସ୍ୱ ଆରବିଏସ ଯୋଜନା ଆଣିଥିଲା | ନିଜସ୍ୱ ଆରବିଏସ ଯୋଜନାରେ କିଛି କର୍ମଚାରୀଙ୍କୁ ସାମିଲ କରାଯାଇନଥିଲା | ଆଉ ଅବ୍ଦ କଥା ଯେ ଏମାନଙ୍କୁ ସାମିଲ କରିବାକୁ ଓରସାକର ଗଭର୍ଣ୍ଣିଙ୍ଗ ବଡ଼ି ନିର୍ଦ୍ଦେଶ ଦେଇଥିଲେ ବି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏହାକୁ ବାଏଁ ବାଏଁ ଉଡାଇଦେଇଛି | କର୍ମଚାରୀଙ୍କ କହିବା କଥା ଯେ ୨୦୧୭ ନାସିହାରେ ଆରବିଏସ ନଥିଲା | ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପେନ୍ସନ ଯୋଜନା ଭଳି ଓରସାକ ନିଜସ୍ୱ ଯୋଜନା ଆଣିଥିଲା | ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ବିତ୍ତ ବିଭାଗର ସ୍ୱୀକୃତି ମିଳିବା ପରେ ଓରସାକ ଏଥିପାଇଁ ଏଲଆଇସି ସହ ଅନୁବନ୍ଧିତ ହୋଇଥିଲା | ଏହି ଯାଜନା ଅନୁସାରେ କର୍ମଚାରୀ ତାହାର ନିୟୋଜକ ପାଣ୍ଠିର ଅର୍ଥ ଓରସାକକୁ ଦେବ ଓ ବାକି ଅର୍ଥ ଓରସାକ ବହନ କରିବ | ସେହି ଅନୁସାରେ କର୍ମଚାରୀମାନେ ଲକ୍ଷ ଲକ୍ଷ ଟଙ୍କା ଅଫିସ ଆକାଉଣ୍ଟରେ ଜମା କଲେ | ହେଲେ ୨୦୨୧ ମସିହା ପର୍ଯ୍ୟନ୍ତ ୨୨୬୦୦ ଟଙ୍କା ପେନସନ ମିଳୁଥିବାରୁ କେତେକ କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇନଥିଲେ | ତେଣୁ ସେମାନେ ଲକ୍ଷାଧିକ ଇପିଏଫ ଟଙ୍କା ଦେବାକୁ ଆଗ୍ରହୀ ନଥିଲେ | ହେଲେ ୨୦୨୧ରେ ଏହି ପେନସନ ଟଙ୍କା ପରିବର୍ତ୍ତିତ ହୋଇ ୫୯୮୦୦ ଟଙ୍କାରେ ପହଞ୍ଚିଥିଲା | ତେଣୁ କର୍ମଚାରୀମାନେ ପୁଣି ଆଗ୍ରହ ଦେଖାଇଲେ | ହେଲେ ସେମାନଙ୍କ ଆବେଦନକୁ ବିଭାଗ ଗ୍ରହଣ କରିନଥିଲା | ଆଉ ସ୍ଥିତି ଏମିତି ଯେ ୩୪ ଜଣ କର୍ମଚାରୀଙ୍କୁ ଏଯାଏଁ ଆରବିଏସ ମିଳୁନାହିଁ |

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାରି ଭିତରେ କର୍ମଚାରୀଙ୍କର ମୃତ୍ୟୁ ବି ହୋଇଗଲାଣି, ନା ସେ ଆରବିଏସ ପାଇପାରିଲେ ନା ସରକାରୀ କଳର ଜାଲରୁ ଫିଟିପାରିଲେ | ଆରବିଏସ ପାଉନଥିବା କିଛି ଅବସରପ୍ରାପ୍ତ କର୍ମଚାରୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟତା ସଚିବଙ୍କୁ ବାରମ୍ବାର ସାକ୍ଷାତ କଲେ ବି ସମସ୍ତେ ଖାଲି ଆଶ୍ୱାସନା ଦେଉଛନ୍ତି ହେଲେ ଫଳ ଶୂନ |

Leave a Reply

Your email address will not be published. Required fields are marked *