୭୪ ବର୍ଷ ପରେ ଜୀବନ ପାଇଲା ‘ସୁକପାଇକା’
କିଶନନଗର: ମହାନଦୀର ଶାଖା ନଦୀ ‘ସୁକପାଇକା’ ଦୀର୍ଘ ୭୪ ବର୍ଷ ପରେ ପୁନର୍ଜନ୍ମ ଲାଭ କରିଛି। ସ୍ଲୁଇସ୍ ଗେଟ୍ ଖୋଲାଯାଇ ମହାନଦୀର ପାଣି ଏହି ନଦୀ ମଧ୍ୟକୁ ଛଡ଼ାଯାଇଛି।
୧୯୫୧ରେ ଓଡ଼ିଶାର ପ୍ରଥମ ରାଜବନ୍ଦୀ ତଥା ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ସ୍ବର୍ଗତ ରାଜକୃଷ୍ଣ ବୋଷ ସୁକପାଇକାର ମୁହାଣ ବନ୍ଦ କରିଦେଇଥିଲେ, ଯାହା ନଦୀକୁ ମୃତପ୍ରାୟ କରିଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଖପାଖ ଅଞ୍ଚଳର ଜଳସ୍ତ୍ରୋତ ଶୁଖିଯାଇଥିଲା। ନଦୀର ପୁନରୁଦ୍ଧାର ପାଇଁ ୨୦୧୯ରୁ ଡାକ୍ତର ପ୍ରତାପ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ‘ସୁକପାଇକା ବଞ୍ଚାଅ ଆନ୍ଦୋଳନ’ ଆରମ୍ଭ ହୋଇଥିଲା।
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୨୨ରେ ନଦୀ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ୪୯.୬୭୧୩ କୋଟି ଟଙ୍କା ବ୍ୟୟରେ ୨୦୨୩ ନଭେମ୍ବରରେ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ନୂଆ ସରକାର କ୍ଷମତାକୁ ଆସିବା ପରେ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ପରତାରେ କାର୍ଯ୍ୟ ଶେଷ ହୋଇଛି। ଏହା ଆଖପାଖ ଗ୍ରାମର ଜଳସମସ୍ୟା ଦୂର କରିବା ସହ କୃଷି ଓ ପନିପରିବା ଚାଷକୁ ପ୍ରୋତ୍ସାହନ ଦେବ।
