ବିଶ୍ୱ ବ୍ୟବହାର କରୁଛି ଭାରତରେ ନିର୍ମିତ ମୋବାଇଲ

ନୂଆଦିଲ୍ଲୀ: ଗୋଟିଏ ଦଶନ୍ଧିରେ ଭାରତ ମୋବାଇଲ୍‌ ଆମଦାନିକାରୀ ଦେଶରୁ ବିଶ୍ୱର ତୃତୀୟ ବୃହତ୍‌ ମୋବାଇଲ୍‌ ରପ୍ତାନିକାରୀ ଦେଶ ଭାବେ ଉଭା ହୋଇଛି। ୨୦୨୪ ମସିହାରେ ଦେଶରୁ ୨୦୫୦ କୋଟି ଡଲାରର ମୋବାଇଲ୍‌ ରପ୍ତାନି କରାଯାଇଛି। ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜ୍‌ (ସିଡିଏସ୍‌)ର ନିର୍ଦ୍ଦେଶକ ପ୍ରଫେସର ସି. ବୀରମଣିଙ୍କ ନେତୃତ୍ୱରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ୨୦୧୭ ମସିହାରୁ ମୋବାଇଲ୍‌ ରପ୍ତାନିରେ ବୃଦ୍ଧି ଆରମ୍ଭ ହୋଇଥିଲା। ୨୦୨୦ରେ କେନ୍ଦ୍ର ସରକାରଙ୍କ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନା ଘୋଷଣା ପରେ ଏହି ବୃଦ୍ଧି ତ୍ୱରାନ୍ୱିତ ହୋଇଛି।

୨୦୧୪-୧୫ରେ ଭାରତ ମୋବାଇଲ୍‌ ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା ଏବଂ ମାତ୍ର ୨୦ କୋଟି ଡଲାରର ମୋବାଇଲ୍‌ ରପ୍ତାନି କରିଥିଲା। କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ୧୧,୯୫୦ ପ୍ରତିଶତ ବୃଦ୍ଧି ପାଇ ୨୪୧୦ କୋଟି ଡଲାରରେ ପହଞ୍ଚିଛି। ଏହା ସହିତ ପ୍ରଥମ ଥର ପାଇଁ ଦେଶରେ ବିକ୍ରି ହେଉଥିବା ମୋବାଇଲ୍‌ ସଂଖ୍ୟାଠାରୁ ରପ୍ତାନି ଅଧିକ ହୋଇଛି। ୨୦୧୮-୧୯ ପରଠାରୁ ଭାରତ ଲଗାତାର ନେଟ ମୋବାଇଲ୍‌ ରପ୍ତାନିକାରୀ ହୋଇ ରହିଛି।

ଏହି ସଫଳତା ପଛରେ ପିଏଲ୍‌ଆଇ ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହା ବଡ଼ ବଡ଼ ସ୍ମାର୍ଟଫୋନ କମ୍ପାନୀମାନଙ୍କୁ ଭାରତରେ ଉତ୍ପାଦନ ପାଇଁ ଆକୃଷ୍ଟ କରିଛି। ଆପଲ୍‌ ଓ ସାମସଙ୍ଗ ଭଳି କମ୍ପାନୀ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଆପଲ୍‌ ଏକାକୀ ୬୫ ପ୍ରତିଶତ ରପ୍ତାନିରେ ଅବଦାନ ରଖିଛି।

ମୋବାଇଲ୍‌ ଉତ୍ପାଦନ ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇଛି। ଏଏସ୍‌ଆଇ ତଥ୍ୟ ଅନୁସାରେ, ୨୦୨୨-୨୩ ମସିହାରେ ଏହି କ୍ଷେତ୍ରରେ ୧୭ ଲକ୍ଷରୁ ଅଧିକ ଲୋକ ନିଯୁକ୍ତ ହୋଇଛନ୍ତି, ଯାହା ରପ୍ତାନି ଭିତ୍ତିକ ନିଯୁକ୍ତିରେ ୩୩ ପ୍ରତିଶତରୁ ଅଧିକ ବୃଦ୍ଧି ଦର୍ଶାଏ। ଏହା ବ୍ୟତୀତ ଆଗାମୀ ୧୨-୧୬ ମାସ ମଧ୍ୟରେ ଏହି କ୍ଷେତ୍ରରେ ୨.୮ ଲକ୍ଷରୁ ୩ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି।
ଏହି ସଫଳତା ଭାରତର ‘ମେକ୍‌ ଇନ୍‌ ଇଣ୍ଡିଆ’ ପହଞ୍ଚକୁ ଆହୁରି ଦୃଢ଼ କରିଛି ଏବଂ ବିଶ୍ୱ ବଜାରରେ ଭାରତୀୟ ଇଲେକ୍ଟ୍ରୋନିକ୍ସ ଶିଳ୍ପର ସ୍ଥାନକୁ ସୁଦୃଢ଼ କରିଛି।

Leave a Reply

Your email address will not be published. Required fields are marked *