ବିଜେଡି ଅନାସ୍ଥା ଆଣୁ, ଆମେ ସମର୍ଥନ କରିବୁ: ଭକ୍ତ ଦାସ
ଭୁବନେଶ୍ବର: ନାରୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ନେଇ ପିସିସି ସଭାପତି ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆହ୍ବାନ ଦେଇଛନ୍ତି। ନଚେତ୍, କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି କହିଛନ୍ତି। ଶ୍ରୀ ଦାସ କହିଛନ୍ତି, “ଓଡ଼ିଶାରେ କଂଗ୍ରେସର ୫୧ ବିଧାୟକ ଥିଲେ ଆମେ ସରକାର ଭାଙ୍ଗି ଦେଇଥାନ୍ତୁ। ନାରୀଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିଛି।” ସେ ବିଜେଡିର ଆନ୍ଦୋଳନର ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ଯଦି ବିଜେଡି ପ୍ରକୃତରେ ନ୍ୟାୟ ଚାହୁଁଛି, ତେବେ ଅନାସ୍ଥା ପ୍ରସ୍ତାବ ଆଣୁ, କଂଗ୍ରେସ ସମର୍ଥନ କରିବ। ନହେଲେ ରାଜରାସ୍ତାରେ ମୂଲ୍ୟହୀନ ପ୍ରହସନ ବନ୍ଦ କରୁ।”
ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, “୧୩ ମାସରେ ସରକାରଙ୍କ ଉପରୁ ଜନସାଧାରଣଙ୍କ ଆସ୍ଥା ହ୍ରାସ ପାଇଛି। ବିଜେଡି ଜନସ୍ବର ଉଠାଉଛି। ଅନାସ୍ଥା ପ୍ରସ୍ତାବ ନେଇ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ।” ଅନ୍ୟପକ୍ଷରେ, ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି, “କଂଗ୍ରେସର ଏହି ମନ୍ତବ୍ୟର କୌଣସି ମୂଲ୍ୟ ନାହିଁ। ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ବିଜେଡି କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାକୁ ଚାହୁଁଛି।”
ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ତାରା ପ୍ରସାଦ ବାହିନୀପତି, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ।
