ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(OISF) ରେ ଆଉ ଦୁଇଟି ବାଟାଲିଅନ ଗଠନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (OISF)’ରେ ଅତିରିକ୍ତ ଦୁଇଟି ବାଟାଲିଅନ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନୂତନ ବାଟାଲିଅନ ଦୁଇଟି ପାଇଁ ୨୦୮୦ଟି ପଦବୀ ସୃଷ୍ଟି କରାଯାଇଛି, ଯେଉଁଥିରେ ୧୯୪୪ଟି ନିୟମିତ ପଦବୀ ଏବଂ ୧୩୬ଟି ଆଉଟସୋର୍ସିଂ ଭିତ୍ତିରେ ନିଯୁକ୍ତି ହେବ।
ବର୍ତ୍ତମାନ ରାଜ୍ୟରେ OISFରେ ଦୁଇଟି ବାଟାଲିଅନ କାର୍ଯ୍ୟରତ ଅଛି, ଯାହାର ମୋଟ ପଦବୀ ସଂଖ୍ୟା ୨୮୪୭। ଚଳିତ ବର୍ଷ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ଏକ ନୂତନ ବାଟାଲିଅନ ସୃଷ୍ଟି ପାଇଁ ମଞ୍ଜୁରୀ ଦେଇଥିଲେ। ନୂତନ ତୃତୀୟ ଓ ଚତୁର୍ଥ ବାଟାଲିଅନ ଗଠନ ପରେ OISFରେ ମୋଟ ପଦବୀ ସଂଖ୍ୟା ୪୯୨୭କୁ ବୃଦ୍ଧି ପାଇବ।
ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା ସହ ନୂଆ ଶିଳ୍ପ ପ୍ରତିଷ୍ଠା ଓ ବାଣିଜ୍ୟିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା ୨୦୨୫’ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି ପରିପ୍ରେକ୍ଷୀରେ ଶିଳ୍ପ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ସ୍ଥାନଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏହି ଅତିରିକ୍ତ ବାଟାଲିଅନ ଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ରାଜ୍ୟର ଶିଳ୍ପ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ସହ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।
