୪୭ ଆଇଏଏସଙ୍କ ବଦଳି ସହ ୧୬ ଜିଲ୍ଲାପାଳ ବଦଳିଲେ
ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ନବାଗତ ଆଇଏଏସ୍ଙ୍କଠାରୁ ଆରମ୍ଭ କରି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ସ୍ତରରେ ବଦଳି କରାଯାଇଛି। ୧୬ ଜଣ ଜିଲ୍ଲାପାଳଙ୍କୁ ବଦଳାଇ ଦିଆଯାଇଛି। ମୋଟ୍ ଉପରେ ୪୭ ଆଇଏଏସ୍ ଓ ୨ ଓଏଏସ୍ ଅଧିକାରୀଙ୍କର ବଦଳି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ ଏହା ସବୁଠାରୁ ବଡ଼ ବଦଳି ବୋଲି କୁହାଯାଉଛି। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ, ରାୟଗଡ଼ା ଜିଲ୍ଲାପାଳ ପରୁଲ୍ ପଟୱାରିଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ନିର୍ଦ୍ଦେଶକ, ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରଭନେଙ୍କୁ ଶିଳ୍ପ ନିର୍ଦ୍ଦେଶକ, ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡିଙ୍କୁ ଅବକାରୀ କମିସନର, ସୋନପୁର ଜିଲ୍ଲାପାଳ ଅନ୍ୟା ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ ଆର୍ ଆୟରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପଞ୍ଚାୟତିରାଜ ନିର୍ଦ୍ଦେଶକ ମହେଶ୍ବର ସ୍ବାଇଁଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ, ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି |
ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କୁ ଢେଙ୍କାନାଳ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ, କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ ଭିଙ୍କୁ ଗଞ୍ଜାମ ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ କୋରାପୁଟ ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣଙ୍କୁ କନ୍ଧମାଳ ଜିଲ୍ଲାପାଳ, ରାଉରକେଲା ଏଡିଏମ୍ କୁଲକର୍ଣ୍ଣି ଆଶୁତୋଷ ସିଙ୍କୁ ରାୟଗଡ଼ା ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ଗଜପତି ଜିଲ୍ଲାପାଳ, ପଦ୍ମପୁର ଏଡିଏମ୍ ଛବନ କୁନାଲ ମୋତିରାମଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ, ମୟୂରଭଞ୍ଜ ଏଡିଏମ୍ ବିଭୂତି ଭୂଷଣ ନାୟକଙ୍କୁ ବୌଦ୍ଧ ଜିଲ୍ଲାପାଳ, ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବ ନୃପରାଜ ସାହୁଙ୍କୁ ସୋନପୁର ଜିଲ୍ଲାପାଳ, ଅବକାରୀ ବିଭାଗ ସ୍ବତନ୍ତ୍ର ସଚିବ ଅମ୍ବର କୁମାର କରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ତିନି ମହାନଗର ନିଗମରେ ନୂଆ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି।
ପୁରୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଭୁବନେଶ୍ବର ମହାନଗର ନିଗମ କମିସନର ଭାବେ ନିଯୁକ୍ତି ମିଳିଛି। ଗୁଣୁପୁର ଉପଜିଲ୍ଲାପାଳ କିରଣଦୀପ୍ କୌର ସହୋଟାଙ୍କୁ କଟକ ମହାନଗର ନିଗମ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରିଙ୍କୁ ସମ୍ବଲପୁର ମହାନଗର ନିଗମ କମିସନର ଭାବେ ନିଯୁକ୍ତି ମିଳିଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନାହ ଦସ୍ତାଗିର୍ଙ୍କୁ ରାଉରକେଲା ଏଡିଏମ୍ ଓ ବାଲିଗୁଡ଼ା ଉପଜିଲ୍ଲାପାଳ ରୀନା ପ୍ରଧାନଙ୍କୁ କେନ୍ଦୁଝର ଡିଏମ୍ଏଫ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି। ସେହିପରି ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କର ଅର୍ଥ ବିଭାଗକୁ ବଦଳି ହୋଇଛି। ସେ ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ।
