ନକଲି ଔଷଧ ପ୍ରତି ସାବଧାନ: ଜାଣନ୍ତୁ ଅସଲି ଔଷଧ କିଣିବାର ସଠିକ ଉପାୟ |

ନୂଆଦିଲ୍ଲୀ: ଅସୁସ୍ଥ ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମେଡିକାଲ ଷ୍ଟୋରରୁ ଔଷଧ କିଣି ସେବନ କରନ୍ତି, ଆଶାଥାଏ ଯେ ଏହା ଆପଣଙ୍କୁ ସୁସ୍ଥ କରିବ। କିନ୍ତୁ ଆପଣ ଜାଣିଛନ୍ତି କି, ମେଡିକାଲ ଷ୍ଟୋରରେ ମିଳୁଥିବା ସମସ୍ତ ଔଷଧ ଅସଲି ହୋଇନଥାଏ? ଔଷଧ ବଜାରରେ ନକଲି ଔଷଧର ଏକ ବଡ଼ ବ୍ୟବସାୟ ଚାଲିଛି, ଯାହା ଲୋକଙ୍କ ସ୍ୱାସ୍ଥ୍ୟକୁ ଆହୁରି ଖରାପ କରୁଛି।

ଅନେକ ସମୟରେ, ଲୋକେ ନକଲି ଔଷଧ କିଣି ସେବନ କରନ୍ତି, ଯାହା ସୁସ୍ଥ କରିବା ପରିବର୍ତ୍ତେ ରୋଗକୁ ଆହୁରି ବଢ଼ାଇ ଦିଏ। ନକଲି ଔଷଧର ପ୍ୟାକେଜିଂ ଅସଲି ଔଷଧ ପରି ଦେଖାଯାଉଥିବାରୁ ଲୋକେ ପ୍ରତାରିତ ହୁଅନ୍ତି। ଏପରି ପରିସ୍ଥିତିରେ ଅସଲି ଓ ନକଲି ଔଷଧ ଚିହ୍ନଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା ଅସଲି ଔଷଧ ଚିହ୍ନିବାର ସହଜ ଉପାୟ।

ଅସଲି ଔଷଧ ଚିହ୍ନିବାର ଉପାୟ:
1. ପ୍ୟାକେଜିଂ ଯାଞ୍ଚ: ଅସଲି ଔଷଧର ପ୍ୟାକେଜିଂରେ ବ୍ରାଣ୍ଡ ଲୋଗୋ, ଉତ୍ପାଦନ ତାରିଖ, ଅବଧି ତାରିଖ, ବ୍ୟାଚ୍ ନମ୍ବର ଓ ଏମଆରପି ସ୍ପଷ୍ଟ ଭାବେ ଲେଖାଯାଇଥାଏ। ନକଲି ଔଷଧରେ ପ୍ରିଣ୍ଟ ଅସ୍ପଷ୍ଟ, ହାଲୁକା ବା ବ୍ରାଣ୍ଡ ଲୋଗୋ ବଙ୍କା ଦେଖାଯାଇପାରେ। ଯଦି ପ୍ୟାକେଜିଂରେ କୌଣସି ତ୍ରୁଟି ଦେଖନ୍ତି, ତେବେ ସେହି ଷ୍ଟୋରରୁ ଔଷଧ କିଣନ୍ତୁ ନାହିଁ।
2. ହୋଲୋଗ୍ରାମ ଓ କ୍ୟୁଆର କୋଡ୍: ଅସଲି ଔଷଧରେ ହୋଲୋଗ୍ରାମ ବା କ୍ୟୁଆର କୋଡ୍ ଥାଏ, ଯାହାକୁ ସ୍କାନ୍ କରି ଔଷଧର ସତ୍ୟତା ଯାଞ୍ଚ କରାଯାଇପାରେ। ମୋବାଇଲ୍ ସ୍କାନର ଦ୍ୱାରା କ୍ୟୁଆର କୋଡ୍ ସ୍କାନ୍ କ ଲେ କମ୍ପାନୀର ନାମ, ଉତ୍ପାଦନ ତାରିଖ, ବ୍ୟାଚ୍ ନମ୍ବର ଆଦି ବିବରଣୀ ଦେଖାଯିବ। ଯଦି ସ୍କାନିଂରେ କୌଣସି ସୂଚନା ନ ମିଳେ ବା ଭୁଲ ସୂଚନା ଦେଖାଏ, ତେବେ ଔଷଧଟି ନକଲି ବୋଲି ବୁଝନ୍ତୁ।
3. ଅନ୍ୟ ସୁଝାବ: ଔଷଧ କିଣିବା ପୂର୍ବରୁ ମେଡିକାଲ ଷ୍ଟୋରର ଲାଇସେନ୍ସ ଯାଞ୍ଚ କରନ୍ତୁ ଏବଂ ସନ୍ଦେହ ହେଲେ ଫାର୍ମାସିଷ୍ଟଙ୍କୁ ପଚାରନ୍ତୁ। ଅସଲି ଔଷଧରେ ସାଧାରଣତଃ ଉଚ୍ଚ-ଗୁଣବତ୍ତା ସାମଗ୍ରୀ ଓ ସଠିକ ଲେବଲିଂ ଥାଏ।

ନକଲି ଔଷଧ ସ୍ୱାସ୍ଥ୍ୟ ପାଇଁ ମାରାତ୍ମକ ହୋଇପାରେ। ତେଣୁ, ଔଷଧ କିଣିବା ସମୟରେ ସତର୍କ ରୁହନ୍ତୁ ଏବଂ କୌଣସି ସନ୍ଦେହ ହେଲେ ସ୍ଥାନୀୟ ଔଷଧ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରନ୍ତୁ।

Leave a Reply

Your email address will not be published. Required fields are marked *