ଆହତ ହେଲେ କିଙ୍ଗ ଖାନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ ତାଙ୍କର ଆଗାମୀ ଆକ୍ସନ ଚଳଚ୍ଚିତ୍ର ‘କିଙ୍ଗ୍‌’ର ସୁଟିଂ ସମୟରେ ଆହତ ହୋଇଛନ୍ତି। ନିଜର ପ୍ରତ୍ୟେକ ଦୃଶ୍ୟରେ ଶତପ୍ରତିଶତ ଉଦ୍ୟମ ପ୍ରଦାନ କରିବା ପାଇଁ ପ୍ରସିଦ୍ଧ ଶାହରୁଖ ମୁମ୍ବାଇର ଗୋଲଡେନ୍ ଟୋବାକୋ ଷ୍ଟୁଡିଓରେ ଏକ ଆକ୍ସନ ଦୃଶ୍ୟ ସୁଟିଂ କରୁଥିବା ବେଳେ ତାଙ୍କ ଅଣ୍ଟାରେ ଆଘାତ ପ୍ରାପ୍ତ ହୋଇଛି। ୫୯ ବର୍ଷୀୟ ଏହି ଅଭିନେତା ତୁରନ୍ତ ଚିକିତ୍ସା ପାଇଁ ଆମେରିକା ଯାତ୍ରା କରିଛନ୍ତି।ସୂଚନା ଅନୁଯାୟୀ, ଆଘାତର ବିବରଣୀ ଗୁପ୍ତ ରଖାଯାଇଛି, କିନ୍ତୁ ଏହା ଗମ୍ଭୀର ନୁହେଁ। ଶାହରୁଖଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି। ଆମେରିକାରେ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର ହେବାକୁ ଥିବା ବେଳେ ଡାକ୍ତରମାନେ ତାଙ୍କୁ ମାସେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ସେ ‘କିଙ୍ଗ୍‌’ର ସୁଟିଂ ପୁନର୍ବାର ଆରମ୍ଭ କରିପାରିବେ।

ଏହା ପ୍ରଥମ ନୁହେଁ ଯେ ଶାହରୁଖ ସୁଟିଂ ସମୟରେ ଆହତ ହୋଇଛନ୍ତି। ଅତୀତରେ ମଧ୍ୟ ତାଙ୍କସହ ଏଭଳି ଅନେକ ଘଟଣା ଘଟିଛି। ୧୯୯୩ରେ ‘ଡର’ ଚଳଚ୍ଚିତ୍ରର ସୁଟିଂ ସମୟରେ ତାଙ୍କର ତିନୋଟି ପଞ୍ଜରା ଓ ବାମ ଗୋଡ଼ ଭାଙ୍ଗିଥିଲା। ସେହିଭଳି ‘କୋୟଲା’ ଏବଂ ଅନ୍ୟ ଚଳଚ୍ଚିତ୍ରର ସୁଟିଂ ସମୟରେ ମଧ୍ୟ ସେ ଆହତ ହୋଇଥିଲେ।ଶାହରୁଖଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ତାଙ୍କର ଏହି ଆକ୍ସନ ଫିଲ୍ମ ‘କିଙ୍ଗ୍‌’ ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି, ଏବଂ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *