‘ନାସା’ର ଚାକିରି ଅଫର ଛାଡି କଦଳୀରୁ ତିଆରି କରୁଛନ୍ତି ସିଙ୍ଗଲ ୟୁଜ ପ୍ଲାଷ୍ଟିକ |
ପାଟନା: ନାମିଦାମୀ କମ୍ପାନୀର ଚାକିରି ଅଫର ବଦଳରେ କିଛି ନୂଆ କରିବାର ସ୍ବପ୍ନ ଦେଖୁଥିବା ଜଣେ ଯୁବକ ଏବେ ଏଭଳି କିଛି ଆବିଷ୍କାର କରିଛନ୍ତି ଯେଉଁଥିପାଇଁ ସେ ଏବେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି | ଜୟ ଜୱାନ, ଜୟ କିସାନ, ଜୟ ବିଜ୍ଞାନ ପରେ ଏବେ ନୂତନ ସ୍ଲୋଗାନ ହେଉଛି – ଜୟ ଅନୁସନ୍ଧାନ | ଆଉ ଏହାକୁ ଧ୍ୟାନରେ ରଖି ଦେଶର ଯୁବକମାନେ ଏବେ ଏକାଧିକ ଆବିଷ୍କାର କରିବାରେ ଲାଗିପଡିଛନ୍ତି | କିଛି ଏଭଳି ଆବିଷ୍କାର କରି ଏବେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ବିହାରର ଗୋପାଳ | ବିହାରର ଭାଗଲପୁରର ବାସିନ୍ଦା ଗୋପାଳ ଦେଶରେ ରହି କାମ କରିବାକୁ ନାସା ଦେଇଥିବା ଅଫରକୁ ମନା କରି ଦେଇଥିଲେ।
କୁହାଯାଏ ଯେ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ | ଆଉ ଗୋପାଳଙ୍କ ସହ ସମାନ ଘଟଣା ଘଟିଥିଲା | ଗୋପାଳଙ୍କ ବାପା ଜଣେ କୃଷକ ଥିବାବେଳେ ତାଙ୍କର ଏକ କଦଳୀ ବଗିଚା ଥିଲା | ତେବେ ୨୦୦୮ ମସିହାରେ ବନ୍ୟା ପାଣି ତାଙ୍କ କଦଳୀ ବଗିଚାକୁ ନଷ୍ଟ କରିଦେଇଥିଲା | ବନ୍ୟା ଯୋଗୁଁ କଦଳୀ ବଗିଚା ନଷ୍ଟ ହୋଇଯିବା ପରେ ଗୋପାଳ ସବୁଜ ଶକ୍ତି ସୃଷ୍ଟି କରିବା ପାଇଁ ବର୍ଜ୍ୟବସ୍ତୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୩ ବର୍ଷ ବୟସରେ, ସେ ଏକ ବାୟୋସେଲ ତିଆରି କରିଥିଲେ ଏବଂ ପରେ ଏହି କଦଳୀରୁ ବାହାରୁଥିବା ଆବର୍ଜନାକୁ ନେଇ କିଛି ନୂଆ ସାମଗ୍ରୀ ଉତ୍ପାଦନ କରିବାକୁ ଲାଗିପଡ଼ିଥିଲେ | ଗତ ଦୁଇ ବର୍ଷ ଧରି ଗୋପାଳ ଆଭନ୍ ପାକ୍ସଫୋ ନାମକ ଏକ କମ୍ପାନୀରେ ମୁଖ୍ୟ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏହି କମ୍ପାନୀ ସହିତ ସେ କଦଳୀ ବର୍ଜ୍ୟବସ୍ତୁରୁ ଥର୍ମୋକଲ୍ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ(ସିଙ୍ଗଲ ୟୁଜ ପ୍ଲାଷ୍ଟିକ) ତିଆରି କରୁଛନ୍ତି | ସେ କହିଛନ୍ତି ଯେ କଦଳୀ ବର୍ଜ୍ୟବସ୍ତୁରୁ ଏକ ଉତ୍ତମ ପ୍ଲାଷ୍ଟିକ ବିକଳ୍ପ ବାହାରିପାରିବ। ସେ ଶୀଘ୍ର ତାଙ୍କ ଉତ୍ପାଦକୁ ବଜାରକୁ ଆଣିବେ। ଏହି ପରିବେଶ ଅନୁକୂଳ ସାମଗ୍ରୀ ରାସାୟନିକ ପଦାର୍ଥ ବିନା ପ୍ଲାଷ୍ଟିକ ପରି ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେବ, ଯାହାଦ୍ୱାରା ଦୈନନ୍ଦିନ ଜୀବନରୁ ବହୁ ପରିମାଣର ପ୍ଲାଷ୍ଟିକ ଦୂର ହେବ | ତାଙ୍କର ଚିନ୍ତାଧାରା ହେତୁ ଗୋପାଳ ଆଜି ଅନେକ ଯୁବକମାନଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି | ତାଙ୍କୁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ସମ୍ମାନିତ କରିଛନ୍ତି ।
