ବାଲେଶ୍ୱର ନିଆଁ ଲିଭିନି, ବଳଙ୍ଗାରେ ନାବାଳିକାଙ୍କ ଦେହରେ ଲଗାଇଲେ ନିଆଁ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜରେ ନ୍ୟାୟ ପାଇଁ ନିଜ ଦେହରେ ନିଆଁ ଲଗାଇବା ଓ ପୀଡିତାଙ୍କ ମୃତ୍ୟୁ ଘଟଣା ଏବେ ବି ଲୋକଙ୍କ ମନରେ ସତେଜ ଥିବାବେଳେ ପୁରୀ ଜିଲ୍ଲା ନିମାପଡା ବଳଙ୍ଗାରେ ଆଜି ଜଣେ ନାବାଳିକାଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି | ପୀଡ଼ିତା ଜଣେ ଯୁକ୍ତ-୨ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ନାବାଳିକାଙ୍କୁ ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ତାଙ୍କର ୭୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି। ଏପଟେ ଘଟଣା ଘଟିଥିବା ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କ ସହ ଉପଜିଲ୍ଲାପାଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି |

ମିଳିଥିବା ସୂଚନା କ୍ରମେ ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ଉଠାଇନେଇଥିଲେ ୩ ଦୁର୍ବୃତ୍ତ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇଥିଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଇଥିଲେ । ଅଘଟଣ ବେଳେ ପହଞ୍ଚିଥିଲେ କିଛି ସ୍ଥାନୀୟ ଲୋକ । ଲୋକଙ୍କୁ ଦେଖି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ନିଆଁ ଲିଭାଇବା ସହ ନାବାଳିକାକୁ ଉଦ୍ଧାର କରିଥିଲେ । ମୋତେ ବଞ୍ଚାନ୍ତୁ ବୋଲି ଗୁହାରି କରିଥିଲେ ନାବାଳିକା । ନାବାଳିକାର ପୋଷାକ, ଚପଲ ପୋଡ଼ି ଯାଇଥିଲା । ତୁରନ୍ତ ନାବାଳିକା ଘରେ ଖବର ଦିଆଯାଇଥିଲା । ପିପିଲି ମେଡିକାଲରେ ଦିଆଯାଇଥିଲା ପ୍ରାଥମିକ ଚିକିତ୍ସା । ପରେ ପୀଡ଼ିତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *