୧୪ଦିନରେ ୮ ବଡ଼ ମୁଣ୍ଡ ଗଡାଇଲେଣି ଅପରାଧି
ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି, ରାଜ୍ୟରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟି ଚାଲିଛି। ଅପରାଧୀଙ୍କୁ ପୋଲିସର ଭୟ ନାହିଁ। ରାସ୍ତା ଘାଟ ନୁହେଁ ହସ୍ପିଟାଲ ଆଇସିୟୁରେ ପଶି ଗ୍ୟାଙ୍ଗଷ୍ଟରକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ୫ଜଣ ସଶସ୍ତ୍ର ବ୍ୟକ୍ତି ବିହାରର ଏକ ହସ୍ପିଟାଲରେ ପଶି ଆଇସିୟୁରେ ଚିକିତ୍ସିତ ହେଉଥିବା ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରକୁ ଗୁଳିକରି ହତ୍ୟା କରିଛନ୍ତି। ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। କେମିତି ଧାଡ଼ିରେ ଆସୁଛନ୍ତି ଅପରାଧୀ, ମନରେ ଟିକେ ବି ଭୟ ନାହିଁ। କୁଖ୍ୟାତ ଅପରାଧି ତୌସିଫ ବାଦଶାହ ପ୍ରଥମେ ପିସ୍ତଲ ଧରି ଆଇସିୟୁରେ ପଶୁଛି, ପରେ ତାର ସହଯୋଗୀ। ସିଧା ପଶିଲେ ଗୁଳି ଫୁଟେଇଲେ। ତେବେ ସମସ୍ତ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି ପୋଲିସ। ଏବେ ଏମାନଙ୍କୁ ଧରିବା ପାଇଁ ପୋଲିସ ଲାଗିପଡ଼ିଛି। ସୂଚନା ଅନୁଯାୟୀ ଗ୍ୟାଙ୍ଗଷ୍ଟର ଚନ୍ଦନ ବିରୋଧରେ ଅନେକ ହତ୍ୟା ମାମଲା ରହିଛି। ସେ ଅସୁସ୍ଥତା କାରଣରୁ ଜେଲରୁ ପାରଲରେ ଆସିଥିଲା। ତାକୁ ପାଟନାର ପାରସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁଳିମାଡ଼ରେ ଚନ୍ଦନଙ୍କ ମୃତ୍ୟୁ ହୋଇଛି। ଏଇ ଘଟଣା ପରେ ବିହାରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। କାରଣ ଗତ ୧୪ଦିନରେ ୮ ବଡ଼ ମୁଣ୍ଡ ଗଡାଇଲେଣି ଅପରାଧି। ପ୍ରଖ୍ୟାତ ବ୍ୟବସାୟୀ ଗୋପାଳ ଖେମକା , ବିଜେପି ନେତା ସୁରେନ୍ଦ୍ର କେୱଟ, ଆଇନଜୀବୀ ଜିତେନ୍ଦ୍ର ମାହାତୋ ଓ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯାଇଛି। ଆଗକୁ ନିର୍ବାଚନ ଥିବାରୁ ଏହି ଘଟଣା ନେଇ ନୀତିଶଙ୍କୁ ଘେରିଛନ୍ତି ବିରୋଧୀ ଆରଜେଡି ଓ କଂଗ୍ରେସ। ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟରେ କିଏ ସୁରକ୍ଷିତ ଅଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଅପରାଧୀଙ୍କୁ ଧରାଯିବ। କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
