ମୃତ ଲୋକଙ୍କ ଆଧାର ନମ୍ବର ବନ୍ଦ କଲା UIDAI
ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ମୃତ ଲୋକଙ୍କର ଆଧାର ନମ୍ବରର ଅପବ୍ୟବହାର ରୋକିବା ପାଇଁ ନେଇଛି ବଡ଼ ପଦକ୍ଷେପ । ଏପର୍ଯ୍ୟନ୍ତ UIDAI ୧.୧୭ କୋଟିରୁ ଅଧିକ ଆଧାର ନମ୍ବରକୁ ବନ୍ଦ କରିସାରିଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ବ୍ୟବହାର କରି କୌଣସି ଠକେଇ ନ ହେଉ।UIDAI ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୫୫ କୋଟି ମୃତ୍ୟୁ ରେକର୍ଡ ସଂଗ୍ରହ କରିଛି। ଏହି ରେକର୍ଡଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଇ ପ୍ରାୟ ୧.୧୭ କୋଟି ଆଧାର ନମ୍ବରକୁ ବନ୍ଦ କରାଯାଇଛି।ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ବ୍ୟବହାର କରି କେହି ସରକାରୀ ସୁବିଧା ପାଇବା, ବ୍ୟାଙ୍କ ଖାତା ଖୋଲିବା କିମ୍ବା ଅନ୍ୟ ଅନୁଚିତ କାମ କରିପାରେ। ଏହାକୁ ରୋକିବା ପାଇଁ UIDAI ଏହି ପଦକ୍ଷେପ ନେଇଛି। ଆପଣଙ୍କୁ କେବଳ ଏକ ମୃତ୍ୟୁ ପ୍ରମାଣପତ୍ର ସହିତ myAadhaar ପୋର୍ଟାଲରେ ରିପୋର୍ଟ କରିବାକୁ ହେବ।UIDAI ଏକ ନୂଆ ସେବା ଆରମ୍ଭ କରିଛି, ଯାହାର ନାମ ହେଉଛି “ପରିବାର ସଦସ୍ୟଙ୍କ ମୃତ୍ୟୁ ରିପୋର୍ଟିଂ”। ଏହି ସେବା myAadhaar ପୋର୍ଟାଲରେ ଉପଲବ୍ଧ ଅଛି। ଏହା ଜୁନ୍ ୯, ୨୦୨୫ରୁ ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲୁ ହୋଇଛି। ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କର ମୃତ୍ୟୁ ହୋଇଛି, ତେବେ ଆପଣ ଏହି ପୋର୍ଟାଲରେ ଲଗ୍-ଇନ୍ କରି ମୃତକଙ୍କ ଆଧାର ନମ୍ବର, ଏବଂ ଅନ୍ୟାନ୍ୟ ତଥ୍ୟ ଦେଇ ମୃତ୍ୟୁ ରିପୋର୍ଟ କରିପାରିବେ। ଏହି ତଥ୍ୟକୁ UIDAI ଯାଞ୍ଚ କରିବ ଏବଂ ଆଧାର ନମ୍ବରକୁ ନିଷ୍କ୍ରିୟ କରିବ।
