ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଏମିତି କହିଲେ ନବୀନ-ରାହୁଲ-ମୋହନ
ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସମବେଦନା ସହ ରାଜନୀତିର ସୁଅ ଛୁଟିଛି | ରାହୁଲ ଗାନ୍ଧୀ ନିଜ ପ୍ରତିକ୍ରିୟା ପ୍ରକାଶ କରି ଏକ୍ସରେ କହିଛନ୍ତି ଯେ ଓଡ଼ିଶାରେ ନ୍ୟାୟ ପାଇଁ ଲଢୁଥିବା ଜଣେ ଝିଅର ମୃତ୍ୟୁ ହୋଇଛି |ଏହା ସିଧାସଳଖ ବିଜେପିର ବ୍ୟବସ୍ଥା ଦ୍ୱାରା ହୋଇଥିବା ହତ୍ୟା ।ଯେଉଁମାନଙ୍କୁ ତାଙ୍କୁ ରକ୍ଷା କରିବାର ଥିଲା, ସେମାନେ ତାଙ୍କୁ ଭାଙ୍ଗି ଦେଲେ। ପ୍ରତିଥର ଭଳି BJP ବ୍ୟବସ୍ଥା ଅଭିଯୁକ୍ତକୁ ରକ୍ଷା କଲା ଏବଂ ଜଣେ ନିରାପରାଧ ଝିଅକୁ ନିଜକୁ ନିଆଁ ଲଗାଇବାକୁ ବାଧ୍ୟ କଲା। ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗୁଛନ୍ତି, ମରୁଛନ୍ତି, ଆପଣ ମୌନ ହୋଇ ବସିଛନ୍ତି।ଦେଶକୁ ଆପଣଙ୍କର ମୌନତା ଗ୍ରହଣୀୟ ନୁହେଁ ଆମେ ଉତ୍ତର ଚାହୁଁ |
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସରକାରଙ୍କ ସମସ୍ତ ଦାୟିତ୍ଵ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ପୀଡ଼ିତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ପ୍ରଦାନ କରିବା ନିମନ୍ତେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।ମୁଁ ଦିବଂଗତ ଛାତ୍ରୀଙ୍କ ପରିବାରକୁ ଆଶ୍ୱାସନା ଦେଉଛି ଯେ ସମ୍ପୃକ୍ତ ମାମଲାରେ ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରାଯିବ। ଏଥିପାଇଁ ବ୍ୟକ୍ତିଗତ ଭାବେ ମୁଁ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛି । ପରିବାର ସହିତ ସରକାର ଦୃଢ଼ ଭାବରେ ଛିଡା ହୋଇଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ‘ଏମ୍ସରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଏଫଏମ କଲେଜ ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ। ଏପରି ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।
ମନକୁ ଏହା ଅଧିକ ବିଚଳିତ କରୁଛି ଯେ, କିପରି ଗୋଟେ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଯାଇପାରେ। ସବୁଠୁ କଷ୍ଟଦାୟକ ହେଉଛି, ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏପରି ଏକ ବ୍ୟବସ୍ଥାର ଫଳ; ଯାହା ସାହାଯ୍ୟ କରିବା ବଦଳରେ ଚୁପ୍ ରହିଲା। ନ୍ୟାୟ ପାଇବାକୁ ସଂଗ୍ରାମ କରି କରି ଶେଷରେ ଝିଅଟି ଆଖି ବୁଜିଦେଲା।
ସେ ଅତି ସାହସିକତାର ସହ ତା’ ସହିତ ଘଟିଥିବା ଯୌନ ନିର୍ଯାତନା ବିଷୟରେ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଥିଲା। କଲେଜ ପଦାଧିକାରୀଙ୍କ ଦ୍ଵାରା ଅଣଦେଖା ହେବା ପରେ ସେ ଅଟକି ଯାଇ ନଥିଲା। ନ୍ୟାୟ ପାଇବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲା। ଏପରିକି ବାଲେଶ୍ୱର ସାଂସଦଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟି ନିଜ ଦୁଃଖ ବିଷୟରେ କହିଥିଲା।
ଜଣେ କେହି ବି ଯଦି ଉତ୍ତରଦାୟିତ୍ୱ ନେଇ ବ୍ୟକ୍ତିଗତ ଭାବେ ଏଥିରେ ହସ୍ତକ୍ଷେପ କରିଥାନ୍ତେ, ତେବେ ହୁଏତ ଝିଅଟିର ଜୀବନ ବଞ୍ଚିଯାଇଥାନ୍ତା। ସେ କେବଳ ଶାରୀରିକ ଆଘାତ ପାଇ ପ୍ରାଣ ହରାଇ ନାହିଁ, ବରଂ ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ; ଯାହା ତାଙ୍କୁ ନିଜ ସଂଗ୍ରାମରେ ଏକାକି ଛାଡ଼ି ଦେଇଥିଲା। ପୁରା ଘଟଣାକ୍ରମରୁ ଜଣାପଡ଼ୁଛି, ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ୍ ନୁହେଁ; ଯାହା ଏକ ଯୋଜନାବଦ୍ଧ ଅନ୍ୟାୟ।
ମୁଁ ପୁଣିଥରେ ମାନ୍ୟବର ରାଜ୍ୟପାଳ (Governor Odisha)ଙ୍କୁ ଅନୁରୋଧ କରୁଛି, ସେ ଏହା ସୁନିଶ୍ଚିତ କରୁନ୍ତୁ ଯେ, ନା କେବଳ କଲେଜ କର୍ତ୍ତୃପକ୍ଷ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ମଧ୍ୟ ଉତ୍ତରଦାୟୀ ହୁଅନ୍ତୁ; ଯେଉଁମାନେ ପୀଡ଼ିତାଙ୍କ ଆକୁଳ ଗୁହାରି ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ।
ପୀଡ଼ିତାଙ୍କ ଅମର ଆତ୍ମାର ସଦଗତି ହେଉ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଁ ପୁଣିଥରେ ପ୍ରାର୍ଥନା କରୁଛି, ଏହି ଦାରୁଣ ଦୁଃଖକୁ ସାମ୍ନା କରିବା ପାଇଁ ସେ ପରିବାର ସଦସ୍ୟମାନଙ୍କୁ ଶକ୍ତି ଏବଂ ସାହସ ଦିଅନ୍ତୁ। ଓଁ ଶାନ୍ତି’।
