ଓଡିଶାକୁ ଛେଚିବ ବର୍ଷା, 18 ଯାଏଁ ବର୍ଷିବ
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି , ଏହା ନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି | ଆଉ ଏଥିପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ମିଳିଥିବା ସୂଚନା କ୍ରମେ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି |
ଏହାର ପ୍ରଭାବରେ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଓ ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି | ଏଥିସହ ସେହିସବୁ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ। ତେଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବଜ୍ରପାତ ସହ ବର୍ଷା ହୋଇପାରେ |
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ଆଡ଼କୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିସହ ପୂର୍ବ ରାଜସ୍ଥାନର ମଧ୍ୟ ଭାଗରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ରହିଥିବା ଘୂର୍ଣ୍ଣିବଳୟ ମୌସୁମୀ ଟ୍ରଫ୍ ସହ ମିଶିଯାଇଛି। ଏହାର ପ୍ରଭାବରେ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ |
